Connect with us

ଓଡିଶା

କଂଗ୍ରେସ ଛାଡିଲେ ବିଧାୟକ ନବ

ସାଙ୍କେତିକ

କଂଗ୍ରେସ ଛାଡିଲେ ବିଧାୟକ ନବ
ଭୁବନେଶ୍ୱର,୧୬ା୧ : କଂଗ୍ରେସ ଦଳର ଅନ୍ୟତମ କାର୍ଯ୍ୟକାରୀ ସଭାପତି ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି । କାର୍ଯ୍ୟକାରୀ ସଭାପତି ଓ ଦଳର ପ୍ରାଥମିକ ସଦସ୍ୟତାରୁ ସେ ଇସ୍ତଫା ଦେଇଛନ୍ତି । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସେ ନିଜର ଇସ୍ତଫାପତ୍ର ପଠାଇଛନ୍ତି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ କୌଣସି ମତଭେଦ ନାହିଁ । ଏପରିକି ବିଜେଡିରେ ଯୋଗେ ଦେବେ ବୋଲି ଶ୍ରୀ ଦାସ ନିଜ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ଅଂଚଳବାସୀ ସେ ବିଜେଡିରୁ ଲଢନ୍ତୁ ବୋଲି ଚାହାନ୍ତି ।

ଇସ୍ତଫା ପରେ ଶ୍ରୀ ଦାସ ଆସନ୍ତା ୨୪ ତାରିଖ ବିଜେଡିରେ ଯୋଗ ଦେବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ପୂର୍ବରୁ ମଧ୍ୟ ସେ ଏନେଇ ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ପୂର୍ବାହ୍ନରେ ଇସ୍ତଫା ଦେବାପରେ ଅପରାହ୍ନରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଦଳ ବିରୁଦ୍ଧରେ ଗଣମାଧ୍ୟମରେ ବାରମ୍ବାର ବିବୃତି ଦେଉଥିବାରୁ ନିଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତି କ୍ରମେ ନବ ଦାସଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ପ୍ରସାଦ ସେଠୀ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

ଇସ୍ତଫା ଦେବା ପରେ ଶ୍ରୀ ଦାସ କହିଛନ୍ତି ଯେ, ଉଭୟ ରାହୁଲ ଗାନ୍ଧି ଓ ନିରଂଜନ ପଟ୍ଟନାୟକଙ୍କ ସହିତ ତାଙ୍କର ଭଲ ସମ୍ପର୍କ ରହିଛି । କାହା ପ୍ରତି କୌଣସି ଅଭିଯୋଗ ନାହିଁ । ଲୋକମାନେ ଚାହିଁବାରୁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି । ଖୁବ୍ ଶୀଘ୍ର ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି ଶ୍ରୀ ଦାସ କହିଛନ୍ତି । ନବ ଦାସଙ୍କ ଇସ୍ତଫା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଏଭଳି ଖବର କଷ୍ଟ ଦିଏ, ମାତ୍ର ଏହା ଆମ ପାଇଁ ଭଲ । ଅ।ଦର୍ଶହୀନ ରାଜନୀତି କରୁଥିବା ବ୍ୟକ୍ତି ଦଳ ଛାଡି ଚାଲିଯିବା ଭଲ । ନବ ଦାସ ରାଜନୀତିକୁ ବ୍ୟାବସାୟିକ ସ୍ୱାର୍ଥରେ ଲଗାନ୍ତି । ବର୍ତମାନ ଓଡ଼ିଶା କଂଗ୍ରେସ ପୂର୍ବାପେକ୍ଷା ଅଧିକ ଦୃଢ଼ ହୋଇଛି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସର ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହ ଖୁବ୍ ଶୀଘ୍ର ଦଳରୁ ଇସ୍ତଫା ଦେବେ ବୋଲି ଜଣାପଡିଛି । ୨୫ ତାରିଖରେ ଓଡିଶା ଗସ୍ତରେ ଆସୁଥିବା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମାବେଶରେ ସେ ଯୋଗ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । କେଉଁ ଦଳରେ ଯୋଗଦେବେ ବୋଲି ସେ ସ୍ପଷ୍ଟ କହିନଥିଲେ ହେଁ ବିଜେଡିରେ ଯୋଗ ଦେବେ ବୋଲି ସୂଚନା ମିଳିଛି । କିଞ୍ଜିରିକେଲା ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅ।ସିଥିବା ଅବସରରେ ସେ କହିଥିଲେ, ରାହୁଲ ଗାନ୍ଧି ଓଡ଼ିଶା ଆସିବା ନେଇ ଏଇ କିଛି ଦିନ ତଳେ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ତେବେ ଏହାର ମାସକ ପୂର୍ବରୁ ମୋର କିଛି ବ୍ୟକ୍ତିଗତ କାର୍ଯ୍ୟକ୍ରମ ସ୍ଥିର ହୋଇସାରିଛି । କିଛି ଗ୍ରାମାଂଚଳକୁ ଗସ୍ତ କରି ଜନସାଧାରଣଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ର୍ନିବାଚନୀ ଋତୁ ହୋଇଥିବାରୁ ଲୋକଙ୍କ ସହିତ ମିଶିବାକୁ ପଡ଼ିବ । ତେଣୁ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବି ନାହିଁ ବୋଲି ସେ କହିଥିଲେ ।

ଯୋଗେଶ କହିଥିଲେ,ଜନସାଧାରଣ ହେଉଛନ୍ତି ମୋର ପ୍ରଥମ ହାଇକମାଣ୍ଡ । କାରଣ ସେମାନେ ମୋତେ ଭୋଟ୍ ଦେଇ ଜିତାଇଛନ୍ତି । ତା’ପରେ ଯାଇ ପାର୍ଟି ହାଇକମାଣ୍ଡ । ମୋ ପାଇଁ ମାଟି ଆଗ, ତା’ପରେ ପାର୍ଟି । ଏହା ସହିତ ଶ୍ରୀ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ, ମୋ ର୍ନିବାଚନ ମଣ୍ଡଳୀ ପାଇଁ ମୁଁ ଯେତେବେଳେ ଯାହା ଦାବି କରିଛି, ସରକାରଙ୍କ ପକ୍ଷରୁ ଅନେକାଂଶରେ ତାହା ପୂରଣ କରାଯାଇଛି । ବ୍ୟକ୍ତି ହିସାବରେ ନବୀନ ପଟ୍ଟନାୟକ ବହୁତ ଭଲ । ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ ମଧ୍ୟ । ସେ ଜଣେ ଦକ୍ଷ ଶାସକ । ସେଥିପାଇଁ ୧୮ ବର୍ଷ ହେଲା ଶାସନ କରୁଛନ୍ତି । ଲୋକେ ତାଙ୍କୁ ପସନ୍ଦ କରୁଛନ୍ତି ବୋଲି ସେ ଏତେ ବର୍ଷ ହେଲାଣି ଶାସନ କରୁଛନ୍ତି ।

ସେ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ସଂପର୍କରେ କହିଥିଲେ,ଲୋକେ ଯାହା କହିବେ, ତାହା କରିବି । ଅପରପକ୍ଷରେ ଉଭୟଙ୍କର ଦଳ ଛାଡିବା ନେଇ ବିଧାୟକ ପ୍ରଫୁଲ୍ଲ ମାଝୀ କହିଛନ୍ତି ଯେ ଦଳ ଭିତରେ ରହି ଦଳ ବିରୁଦ୍ଧରେ କହିବା ସ୍ପୃହଣୀୟ ନୂୁହେଁ । ଏହା ବିଶୃଙ୍ଖଳା । ଯିଏ କଂଗ୍ରେସ ଛାଡିବ ସେ ଭୂପିନ୍ଦ୍ର ସିଂହ ଓ ଅନୁପ ସାଏଙ୍କ ପରି ଦଶା ଭୋଗିବ । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି ଯେ କଂଗ୍ରେସ ହେଉଛି ଏକ ସମୁଦ୍ର । ଅତୀତରେ ବହୁ ନେତା ଆସିଛନ୍ତି ଓ ଯାଇଛନ୍ତି । କଂଗ୍ରେସ ତାର ସ୍ଥିତି ବଜାୟ ରଖିଛି । ଯେଉଁମାନେ ଯାଇଛନ୍ତି ତାର ପ୍ରଭାବ ଦଳ ଉପରେ ପଡିନାହିଁ । ଅଗାଡି ଗୁଡିକ ନରହି ଧାନ ରହିବା ଉଚିତ୍ । ଓଡିଶା ପାଇଁ ନବୀନ କି ମୋଦି କେହି କିଛି କରୁ ନାହାନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ କଂଗ୍ରେସ ଛାଡିଥିବା ବା ଛାଡିବାକୁ ଯାଉଥିବା ନେତାଙ୍କ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଆରମ୍ଭରୁ ଗୋଟିଏ ଦଳରେ ରହି ନିଜର ରାଜନୈତିକ ଜୀବନ ଆରମ୍ଭ କରିବା ଏବଂ ଏକାଧିକାର ବିଧାୟକ ହୋଇଥିବା ବେଳେ ସେହି ଦଳ ଛାଡି ଅନ୍ୟ ଦଳକୁ ଯିବା ଦୁର୍ଭାଗ୍ୟଜନକ । ସେମାନଙ୍କ ଇସ୍ତଫା ଦ୍ୱାରା ଦଳ ଉପରେ ବିଶେଷ ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା