Connect with us

ବାଣିଜ୍ୟ

ଓଡ଼ିଶା ପାଇଁ ବର୍ଷକୁ ଦରକାର ୬.୭୦ ଲକ୍ଷ ଟନ୍ ଲୁଣ : ଉତ୍ପାଦନ ମାତ୍ର ୧୫୦ ଟନ୍

ସାଙ୍କେତିକ ଚିତ୍ର

ଓଡ଼ିଶା ପାଇଁ ବର୍ଷକୁ ଦରକାର ୬.୭୦ ଲକ୍ଷ ଟନ୍ ଲୁଣ : ଉତ୍ପାଦନ ମାତ୍ର ୧୫୦ ଟନ୍
ଭୁବନେଶ୍ୱର ଓଡ଼ିଶା ପାଇଁ ବାର୍ଷିକ ୬ଲକ୍ଷ ୭୦ ହଜାର ମେଟ୍ରିକ୍ ଟନ୍ ଲୁଣ ଆବଶ୍ୟକ ଥିବା ବେଳେ ଗତବର୍ଷ ରାଜ୍ୟରେ ଉତ୍ପାଦିତ ହୋଇଛି ମାତ୍ର ୧୫୦ ମେଟ୍ରିକ୍ ଟନ୍ ଲୁଣ । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତରରେ ବିଧାନସଭାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ।
ଓଡ଼ିଶା ପାଇଁ ବାର୍ଷିକ ଆବଶ୍ୟକ ପଡ଼ୁଥିବା ୬.୭୦ ଲକ୍ଷ ଟନ୍ ଲୁଣ ମଧ୍ୟରୁ ଖାଇବା ପାଇଁ ୨.୨୦ ଲକ୍ଷ ଟନ୍ ବ୍ୟବହାର କରାଯାଉଥିବା ବେଳେ ଶିଳ୍ପ ସଂସ୍ଥା ପାଇଁ ସାଢ଼େ ୪ ଲକ୍ଷ ଟନ୍ ଲୁଣ ଆବଶ୍ୟକ ଥିବା ସରକାର କହିଛନ୍ତି । ରାଜ୍ୟରେ ୨୦୧୦-୧୧ ବର୍ଷରେ ୨୬୫୮ ମେଟ୍ରିକ୍ ଟନ୍ ଲୁଣ ଉତ୍ପାଦିତ ହୋଇଥିବା ବେଳେ ୨୦୧୬-୧୭ ବେଳକୁ ଏହାର ପରିମାଣ ଥିଲା ୧୯୭୫ ମେଟ୍ରିକ୍ ଟନ୍ । ତେବେ ୨୦୧୭-୧୮ ବର୍ଷରେ ଓଡ଼ିଶାରେ ମାତ୍ର ୧୫୦ ମେଟ୍ରିକ୍ ଟନ୍ ଲୁଣ ଉତ୍ପାଦିତ ହୋଇଥିବା ମନ୍ତ୍ରୀଙ୍କ ପ୍ରଦତ ପରିସଂଖ୍ୟାନରେ ଦର୍ଶାଯାଇଛି ।
ସେ କହିଛନ୍ତି ଯେ ଲୁଣ ଉତ୍ପାଦନ ପାଇଁ ପୁରୀ ଜିଲ୍ଲାର ଅସ୍ତରଙ୍ଗ, ଗଞ୍ଜାମ ଜିଲ୍ଲାର ହୁମା ଓ ବିଞ୍ଚଣାପାଲି ଏବଂ ବାହୁଦା ଓ ବାଲେଶ୍ୱର ବୋଳଙ୍ଗରେ ୪ଟି ଲବଣ ଉତ୍ପାଦନ ଓ ବିକ୍ରୟ ସମବାୟ ସମିତି ରହିଛି । ଏଥିମଧ୍ୟରୁ କେବଳ ବାଲେଶ୍ୱର ଜିଲ୍ଲାର ବୋଳଙ୍ଗ ସମବାୟ ସଂସ୍ଥା କାର୍ଯ୍ୟକ୍ଷମ ଥିବା ବେଳେ ଅନ୍ୟ ୩ଟି ଯାକ ବନ୍ଦ ରହିଛି । ରାଜ୍ୟରେ ଲୁଣ ଉତ୍ପାଦନ ବୃଦ୍ଧି ପାଇଁ ଓ ଲବଣ ଶ୍ରମିକମାନଙ୍କ ଜୀବିକାରେ ସୁଧାର ଲାଗି ସରକାର ୨୦୦୭-୦୮ରୁ ୨୦୧୩-୧୪ ମଧ୍ୟରେ ୩ଟି ଲବଣ ସମବାୟ ସମିତିକୁ ୯୪ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।
ଓଡ଼ିଶାରେ ୪୮୦ କିମି ଦୈର୍ଘ୍ୟର ସାମୁଦ୍ରିକ ବେଳାଭୂମି ସହିତ ୧୧ହଜାର ବର୍ଗ କିଲୋମିଟର ଅଂଚଳର ଲବଣାକ୍ତ ହ୍ରଦ ଚିଲିକା ଥିବା ବେଳେ ଓଡ଼ିଶା ଲୁଣ ଉତ୍ପାଦନ କ୍ଷେତ୍ରରେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେବା ଦୁର୍ଭାଗ୍ୟଜନକ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତିରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଢ଼ ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତି ପ୍ରକଟ ହେଲେ ଓଡ଼ିଶା ଲୁଣ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟରେ ପରିଣତ ହୋଇପାରିବ । ଓଡ଼ିଶାର ଯେଉଁ ପ୍ରାକୃତିକ ଭିତିଭୂମି ରହିଛି ସେଥିରେ ବାର୍ଷିକ ୩୦ ଲକ୍ଷ ଟନ୍ରୁ ଅଧିକ ଲୁଣ ଉତ୍ପାଦିତ ହୋଇପାରିବ ଏବଂ ଏହା ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ବ୍ୟାପକ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରିବ ।

ଭାରତର ସ୍ୱାଧୀନତା ଆନ୍ଦୋଳନରେ ଲବଣ ସତ୍ୟାଗ୍ରହର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବେଳେ ଓଡ଼ିଶା ଏହି ସତ୍ୟାଗ୍ରହରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲା । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କମିଟିମାନ ଗଠନ କରିଥିବା ବେଳେ ଲୁଣ ଉତ୍ପାଦନ ପାଇଁ ଓଡ଼ିଶାରେ ଥିବା ପ୍ରାକୃତିକ ଭିତିଭୂମିର ଠିକଣା ଉପଯୋଗ କରାଯାଇପାରିଲେ ତାହା ଗାନ୍ଧୀଜୀଙ୍କ ଅମ୍ଳାନ ସ୍ମୃତି ପ୍ରତି ବିଶେଷ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ରାୟ ମତବ୍ୟକ୍ତ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ବାଣିଜ୍ୟ