Connect with us

ଆଞ୍ଚଳିକ

ଓଡିଶାରେ ୪୨ ପ୍ରତିଶତ ମଦ୍ୟପ – କଂଗ୍ରେସ

ସାଙ୍କେତିକ ଚିତ୍ର

ଓଡିଶାରେ ୪୨ ପ୍ରତିଶତ ମଦ୍ୟପ
ଗାନ୍ଧୀ ଜୟନ୍ତୀରେ ରାଜ୍ୟ ସରକାରଙ୍କର ଦିନିକିଆ ନିଶାମୁକ୍ତି ଅଭିଯାନ ରାଜ୍ୟବାସୀଙ୍କୁ ଉପହାସ – କଂଗ୍ରେସ
ଭୁବନେଶ୍ୱର ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ନିଶାମୁକ୍ତି ଅଭିଯାନ ଆୟୋଜନ କରାଯାଉଛି । ଏହି ଅବସରରେ ବିଜୁ ଯୁବ ବାହିନୀ ପକ୍ଷରୁ ଆୟୋଜିତ ରାଜ୍ୟର ବିଭିନ୍ନ ଗ୍ରାମ ପଂଚାୟତ, ମ୍ୟୁନିସିପାଲିଟି ଓ ଏନ୍ଏସି ଅଂଚଳରେ ନିଶାମୁକ୍ତି ଅଭିଯାନର ବ୍ୟାପକ ପ୍ରସାରଣ ପାଇଁ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକଙ୍କୁ ଚିଠି ଲେଖି କୁହାଯାଇଛି । ଏହି ଘଟଣା ସରକାରଙ୍କ ଛଳନା ଓ ଦୋମୁହାଁ ନୀତିକୁ ଦର୍ଶାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଅସଲରେ ସରକାର ମଦ ବିକ୍ରୀର ପ୍ରଚାର ପ୍ରସାର ପାଇଁ ମିଶନ ମୋଡ୍ରେ କାମ କରୁଛନ୍ତି । ସେପଟେ ଲୋକ ଦେଖାଣିଆ ଦୁଇ ଘଂଟିଆ ନିଶାମୁକ୍ତି ରାଲି ଆୟୋଜନ କରୁଛନ୍ତି । ସରକାରଙ୍କ ଏହି ନିଶାମୁକ୍ତି ଅଭିଯାନ ‘ଯାଦୁଆ ବିକୁଛି ଯାଦୁର ମଲମ, ମଦୁଆ ଧରିଛି ନିଶା ନିବାରଣ ବାନା’ ସଦୃଶ ଓଡିଶା ପ୍ରଦେଶ କଂଗ୍ରେସ କମିଟି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟର ବିଜେଡି ସରକାର ଓଡିଶାରେ ମଦର ପ୍ରସାର କରି ରାଜସ୍ୱ ସଂଗ୍ରହ ନିମନ୍ତେ ନିଜର ଦ୍ୱାର ଉନ୍ମୁକ୍ତ କରିଛନ୍ତି । ୨୦୦୦-୦୧ରେ ବିଜୁ ଜନତା ଦଳ କ୍ଷମତାକୁ ଆସିବା ସମୟରେ ରାଜ୍ୟର ଅବକାରୀ ରାଜସ୍ୱ ସଂଗ୍ରହ ପରିମାଣ ଯେତିକି ଥିଲା ଏବେ ତାହା ୨୦ ଗୁଣ ବୃଦ୍ଧି ପାଇଛି । ୨୦୦୦-୦୧ ରେ ରାଜ୍ୟର ଅବକାରୀ ରାଜସ୍ୱ ୧୩୫.୧୩ କୋଟି ଟଙ୍କା ଥିଲା । ୨୦୧୬-୧୭ ରେ ତାହା ୨୭୮୬.୨୩ କୋଟି ଟଙ୍କାରେ ପହଂଚିଛି ।୨୦୧୭-୧୮ ରେ ରାଜ୍ୟ ସରକାର ୩୬୦୦ କୋଟି ଟଙ୍କା ଅବକାରୀ ରାଜସ୍ୱ ସଂଗ୍ରହ ଲକ୍ଷ୍ୟ ରଖିଥିବା ବେଳେ ସରକାରଙ୍କୁ ମିଳିଥିଲା ୩୨୧୧.୦୩ କୋଟି ଟଙ୍କା । ୨୦୧୦ ପରବର୍ତୀ ସମୟରେ ଅବକାରୀ ରାଜସ୍ୱରେ ଅପ୍ରତ୍ୟାଶିତ ବୃଦ୍ଧି ପରିଲକ୍ଷିତ ହୋଇଛି । ଅନ୍ୟପକ୍ଷରେ ଏହାକୁ ନେଇ ସାମାଜିକ ବିଶୃଙ୍ଖଳା, ଅପରାଧ, ନାରୀ ନିର୍ଯ୍ୟାତନା, ଯୌନ ଉତ୍ପୀଡନ ଭଳି ଘଟଣା ମଧ୍ୟ ବହୁଗୁଣ ବୃଦ୍ଧି ଘଟିଛି ।
ବିଜେଡି ସରକାର ମଦର ପ୍ରସାର କରି ପରିବାର ଉଜାଡି ଦେଉଥିବା ବେଳେ ବେକାର ଯୁବଗୋଷ୍ଠୀଙ୍କୁ ଭୂଆଁ ବୁଲାଇବା ପାଇଁ ଗଠନ କରାଯାଇଥିବା ବିଜୁ ଯୁବ ବାହିନୀ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ନିଶାମୁକ୍ତି ଅଭିଯାନ ଆରମ୍ଭ କରିବାକୁ ସ୍ଥିର କରାଯାଇଛି । ସରକାର ମଦ ବିକୁଥିବା ବେଳେ ସରକାରଙ୍କ ଏକ ଶାଖା ତାକୁ ବିରୋଧ କରିବ । ଏହା କିଭଳି ସମ୍ଭବ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ବିଜୁ ଜନତା ଦଳ ଗତ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ନିଶାର ବ୍ୟାପକ ପ୍ରସାର କରିଛି । ମଦ ପିଇ ରାଜ୍ୟରେ ଅନେକ ସ୍ଥାନରେ ଲୋକଙ୍କର ମୃତ୍ୟୁ ଘଟିଛି । ସେଥିପାଇଁ ରାଜ୍ୟ ସରକାର ଏକାଧିକ କମିଶନ ବସାଇଛନ୍ତି, କିନ୍ତୁ ଫଳ ଶୂନ । ପୂର୍ବରୁ କଟକ ଜିଲ୍ଲା ମହୀଧରପୁର ଏବଂ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଏବଂ ଗଞ୍ଜାମ ଜିଲ୍ଲାରେ ମଦ ପିଇ ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ସରକାର ସେଥିପାଇଁ ତଦନ୍ତ କମିଶନ ବସାଇଲେ । କିନ୍ତୁ କାହା ବିରୋଧରେ ଦଣ୍ଡବିଧାନ କରାଗଲା ନାହିଁ ।
ଏବେ ନିର୍ବାଚନ ପୂର୍ବରୁ ନିଶାମୁକ୍ତି କରିବାକୁ ତାହାର ଯୁବଗୋଷ୍ଠୀ ଜରିଆରେ ଅଭିଯାନ ଆରମ୍ଭ କରିବା ଏବଂ ସେଥିପାଇଁ ପ୍ରଚାର ପ୍ରସାର ଦାୟିତ୍ୱ ଲୋକସଂପର୍କ ବିଭାଗକୁ ଦେବା ପଛରେ କି ଉଦ୍ଦେଶ୍ୟ ନିହିତ ରହିଛି, ତାହା ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ । ଓଡିଶା ସରକାର ଅନ୍ତତଃପକ୍ଷେ ବିହାର ଠାରୁ ଏ କ୍ଷେତ୍ରରେ କିଛି ଶିକ୍ଷାଲାଭ କରିବାକୁ ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ