Connect with us

ଦେଶ

ଓଡିଶାରେ ପଞ୍ଚଦଶ ଅର୍ଥ ଆୟୋଗଙ୍କ ବୈଠକ

ସାଙ୍କେତିକ

ଓଡିଶାରେ ପଞ୍ଚଦଶ ଅର୍ଥ ଆୟୋଗଙ୍କ ବୈଠକ
ପଞ୍ଚାୟତିରାଜ, ପୌରସଂସ୍ଥାଙ୍କ ଆର୍ଥିକ ସାମର୍ଥ୍ୟ ବୃଦ୍ଧି ଉପରେ ଗୁରୁତ୍ୱ
ଭୁବନେଶ୍ୱର,୮ା୧ : ଏନ. କେ. ସିଂହଙ୍କ ନେତୃତ୍ୱରେ ଓଡିଶା ଆସିଥିବା ପଂଚଦଶ ଅର୍ଥ ଆୟୋଗ ଆଜି ପଂଚାୟତିରାଜ ସଂସ୍ଥା, ପୌରସଂସ୍ଥା, ଶିଳ୍ପ ଓ ବାଣିଜ୍ୟ ସଂଗଠନର ପ୍ରତିନିଧିମାନଙ୍କୁ ପୃଥକ ପୃଥକ ଭେଟି ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଏହି ଆଲୋଚନା କାଳରେ ପ୍ରଥମ ଚରଣରେ, ପଂଚାୟତ ଓ ପୌରସଂସ୍ଥାଗୁଡିକର ଆର୍ଥିକ ସ୍ୱଚ୍ଛଳତା, ସାମର୍ଥ୍ୟ ଏବଂ ଆଂଚଳିକ ସ୍ତରରେ ଟିକସ ଆଦାୟର ସରଳ ଓ ସୁଗମ ପଦ୍ଧତି ନେଇ ବିଚାର ବିମର୍ଶ ହୋଇଛି । ତିନିସ୍ତରୀୟ ପଂଚାୟତିରାଜ ସଂସ୍ଥାମାନଙ୍କୁ ଆର୍ଥିକ କ୍ଷମତାର ବିକେନ୍ଦ୍ରୀକରଣ ନେଇ ଆୟୋଗର ସଦସ୍ୟମାନେ ପ୍ରତିନିଧିମାନଙ୍କ ସହ ଏକମତ ହୋଇଥିଲେ ।

ପଂଚାୟତ ଓ ପୌରସଂସ୍ଥାମାନଙ୍କର ଟିକସ ଆଦାୟର ସାମର୍ଥ୍ୟ ଓ ପରିସର ବ୍ୟାପକ କରିବା ନେଇ ମଧ୍ୟ ସମ୍ୟକ ଭାବେ ଆଲୋଚନା ହୋଇଥିବା ଜଣାପଡିଛି । ଏପର୍ଯ୍ୟନ୍ତ ପଂଚାୟତିରାଜ ସଂସ୍ଥା ଏବଂ ପୌରସଂସ୍ଥାମାନଙ୍କୁ ସମ୍ପତି କର ଆଦାୟର କ୍ଷମତା ପ୍ରଦାନ କରାଯାଇ ନଥିବାରୁ ପଂଚଦଶ ଅର୍ଥ ଆୟୋଗ ଉଦ୍ବେଗ ପ୍ରକାଶ କରିଥିଲେ । ଏହି ପ୍ରସଙ୍ଗ ଉପରେ ଅଗ୍ରାଧିକାର ଭିତିରେ ପଦକ୍ଷେପ ନିଆଯିବା ନେଇ ଆୟୋଗ ଗୁରୁତ୍ୱାରୋପ କରିଥିଲେ । ଟିକସ ଆଦାୟର ପରିସର ବୃଦ୍ଧି ଦ୍ୱାରା ପଂଚାୟତିରାଜ ସଂସ୍ଥା ଏବଂ ପୌର ସଂସ୍ଥାମାନଙ୍କର ଆର୍ଥିକ ସ୍ୱଚ୍ଛଳତା ଏବଂ ସ୍ୱାବଲମ୍ବନଶୀଳତା ବଢ଼ିବ ବୋଲି ଆୟୋଗଙ୍କ ହୃଦ୍ବୋଧ ହୋଇଛି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡିଶାର ପଦକ୍ଷେପ ଏକ ଉଜ୍ଜଳ ଉଦାହରଣ ବୋଲି କମିଶନ ଉଲ୍ଲେଖ କରିଛନ୍ତି । ଆଜି କମିଶନଙ୍କୁ ଭେଟିଥିବା ପଂଚାୟତିରାଜ ଏବଂ ପୌର ସଂସ୍ଥାର ୧୬ଜଣ ପ୍ରତିନିଧିଙ୍କ ମଧ୍ୟରୁ ୧୦ଜଣ ମହିଳା ପ୍ରତିନିଧି ହୋଇଥିବାରୁ କମିଶନ ବେଶ ସନ୍ତୋଷ ପ୍ରକାଶ କରିଥିଲେ ।

ପଂଚଦଶ ଅର୍ଥ ଆୟୋଗ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଶିଳ୍ପ ଓ ବାଣିଜ୍ୟ ସଂଗଠନଗୁଡିକର ପ୍ରତିନିଧିମାନଙ୍କୁ ଭେଟିଥିଲେ । କମିଶନଙ୍କ ହୃଦ୍ବୋଧ ହୋଇଛି ଯେ, ଦେଶର ୭୨ ଭାଗ ଖଣିଜ ସମ୍ପଦ ଏବଂ ବିନିର୍ମାଣ କ୍ଷେତ୍ର ଓଡିଶାରେ ସେତେଟା ବିକଶିତ ହୋଇପାରିନାହିଁ । ଏହାଯୋଗୁଁ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ଆଖିଦୃଶିଆ ହୋଇପାରିନାହିଁ । ବିପୁଳ ପରିମାଣରେ ଖଣିଜ ସମ୍ପଦ ଭରି ରହିଥିଲେ ମଧ୍ୟ ଓଡିଶା ଏପର୍ଯ୍ୟନ୍ତ ଏହାର ପ୍ରକୃତ ସାମର୍ଥ୍ୟକୁ ଅଭିବୃଦ୍ଧି କ୍ଷେତ୍ରରେ ଉପଯୋଗ କରିପାରିନାହିଁ । ନିକଟ ଅତିତରେ ଓଡିଶା ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କେତେକ କାର୍ଯ୍ୟକ୍ରମ ଭଲ ଓ ଫଳପ୍ରଦ ହୋଇଥିଲେ ମଧ୍ୟ ଆହୁରି ଅନେକ କିଛି କରିବାକୁ ବାକି ରହିଛି ।

ନିୟାମକ ଢ଼ାଂଚା, ଉନ୍ନତ ସଂରଚନା ଓ ଭିତିଭୂମି କ୍ଷେତ୍ର ରାଜ୍ୟର ବିକାଶ ଲାଗି ନିହାତି ଆବଶ୍ୟକ ଏବଂ ଏହା ଓଡିଶାକୁ ଅଧିକ ପ୍ରତିଦ୍ୱନ୍ଦିତାମୂଳକ ଶିଳ୍ପ ରାଜ୍ୟ ରୂପେ ଗଢ଼ି ତୋଳିବ ବୋଲି କମିଶନ ମତ ବ୍ୟକ୍ତ କରିଛନ୍ତି । ରାଜନୈତିକ ସ୍ଥିରତା ଏବଂ ଆଭ୍ୟନ୍ତରିଣ ସାମର୍ଥ୍ୟ ଓ ସମ୍ବଳର ପ୍ରକୃତ ଉପଯୋଗ ହେଲେ ଓଡିଶାର ଭବିଷ୍ୟତ ଆହୁରି ଉନ୍ନତ ଓ ଉଜ୍ଜଳ ହେବ ବୋଲି ଆୟୋଗ ମତ ବ୍ୟକ୍ତ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ