Connect with us

ଓଡିଶା

ଆଜି ମଧ୍ୟ ଗୃହରେ ଅଚଳାବସ୍ଥା ଜାରି l

ଆଜି ମଧ୍ୟ ଗୃହରେ ଅଚଳାବସ୍ଥା ଜାରି l

ଗୃହରେ ଅଚଳାବସ୍ଥା ଜାରି
ଭୁବନେଶ୍ୱର,୧୯ା୯ : ଆଜି ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିବାରୁ ଗୃହର ପ୍ରଥମାର୍ଦ୍ଧ ବୈଠକର କାର୍ଯ୍ୟକ୍ରମ ସମ୍ପାଦିତ ହୋଇପାରିନଥିଲା । ଏଥିରୁ ନିବୃତ ରହିବାପାଇଁ ବାଚସ୍ପତି ଶ୍ରୀ ପ୍ରଦୀପ କୁମାର ଅମାତ୍ ଗୃହକୁ ଏକାଧିକ ବାର ମୁଲତବୀ ରଖିଥିଲେ ।

ହଟ୍ଟଗୋଳ ସମୟରେ ବିରୋଧୀ କଂଗ୍ରେସ ଓ ବିଜେପି ଦଳର ସଦସ୍ୟମାନେ ଗୃହର ମଧ୍ୟ ଭାଗରେ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କରି ବିଭିନ୍ନ ସ୍ଲୋଗାନ ଦେବା,ବାଚସ୍ପତିଙ୍କ ପୋଡିୟମ୍ କୁ ବାଡେଇବା , କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ପୋଡିୟମ ଉପରକୁ ବାରମ୍ବାର ଚଢିବା ପାଇଁ ଉଦ୍ୟମ କରିବା,ସୁରକ୍ଷା କର୍ମୀମାନେ ତାଙ୍କୁ ବାଧା ଦେବା, ଆଉ କିଛି ସଦସ୍ୟ ମାଇକ୍ ଛଡାଇବା ଏବଂ ବାଚସ୍ପତି ସୁରକ୍ଷା କର୍ମୀଙ୍କ ବଳୟ ଭିତରେ ରହି ଗୃହର କାର୍ଯ୍ୟକୁ କିଛି ସମୟ ପାଇଁ ଚାଲୁ ରଖିବା ଆଦି ଆଜି ଗୃହରେ ଦୃଶ୍ୟମାନ ହୋଇଥିଲା ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ବାଚସ୍ପତି ବିଧାନସଭାରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ଚାଲୁ କରିବାକୁ ଗଲାବେଳେ କଂଗ୍ରେସ ସଭ୍ୟ ଶ୍ରୀ ବାହିନୀପତି ଗୃହର ମଧ୍ୟ ଭାଗୁ ଆସି ସେମାନେ ଆଇନ ଶୃଙ୍ଖଳା ଉପରେ ଦେଇଥିବା ମୁଲତବୀ ପ୍ରସ୍ତାବ କଣ ପାଇଁ ଗ୍ରହଣ କରାଗଲା ନାହିଁ ବାଚସ୍ପତିଙ୍କୁ ବାରବାର ପ୍ରଶ୍ନ କରିଥିଲେ । ଅନ୍ୟପକ୍ଷରେ ବିଜେପି ଦଳର ସଦସ୍ୟମାନେ ପ୍ରଦୀପ ପୁରୋହିତ ଓ ରବି ନାଏକଙ୍କ ନେତୃତ୍ୱରେ କଳା ଗାଉନ ପିନ୍ଧି ବିଜୁ ଯୁବ ବାହିନୀକୁ ଦିଆଯାଇଥିବା ଅନୁଦାନ ଅର୍ଥର ଅଡିଟ୍ ପାଇଁ ରାଜ୍ୟ ସରକାର ରାଜି ନହେବାର ପ୍ରତିବାଦ କରିଥିଲେ ।

ଅପରପକ୍ଷରେ ଶାସକ ଦଳ ସଦସ୍ୟ ସମୀର ରଂଜନ ଦାଶ ଓ ବ୍ୟୋମକେଶ ରାୟ ନିଜ ଆସନରେ ଠିଆ ହୋଇ ସାମ୍ବାଦିକ ଅଭିଜିତ୍ ଆୟାର ଓଡିଶାର ନାଁକୁ ନେଇ ତାତ୍ସଲ୍ୟ କରି ଦେଇଥିବା ମନ୍ତବ୍ୟ ଜନିତ ପ୍ରକାଶିତ ସମ୍ବାଦକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଏବଂ ସମ୍ପୃକ୍ତ ସାମ୍ବାଦିକଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରିଥିଲେ । ବିରୋଧୀ ଦଳର ହଟ୍ଟଗୋଳ ପାଇଁ ଗୃହରେ ଉତେଜନା ମୂଳକ ପରିସ୍ଥିତି ଦେଖାଦେଇଥିଲା ।

ଏହି ପରିସ୍ଥିତିକୁ ଏଡାଇବା ପାଇଁ ବାଚସ୍ପତି ପ୍ରଥମେ ୧୦ଟା ୩୦ରୁ ୧୧ଟା ୩୦ ମୁଲତବୀ କରିଥିବା ବେଳେ ଦ୍ୱିତୀୟ ଥରରେ ୧୦ଟା ୩୪ ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଫଳରେ ପ୍ରଶ୍ନୋତର , ଶୂନ୍ୟକାଳ କାର୍ଯ୍ୟକ୍ରମ ହୋଇପାରିନଥିଲା । ତେବେ ପରମ୍ପରା ଅନୁଯାୟୀ ଆଜି ଆଲୋଚନା ହେବାକୁ ତାରକା ଚିହ୍ନିତ ପ୍ରଶ୍ନର ଉତର ଉପସ୍ଥାପିତ ହେଲା ବୋଲି ଧରି ନିଆଯଇଥିଲା । ଆଜିକୁ ମିଶାଇ ଦୀର୍ଘ ୯ଦିନ ଧରି ବିରୋଧୀ ଦଳଙ୍କ ହଟ୍ଟଗୋଳ ପାଇଁ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇନପାରିବା ଚଳିତ ବିଧାନସଭାର ନୂଆ ଘଟଣା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା