Connect with us

ଦେଶ

ଆଖିବୁଜା ଋଣ ବଣ୍ଟନକୁ ରୋକିବାରେ ବିଫଳ ଆର୍ବିଆଇ : ଜେଟଲୀ

ସାଙ୍କେତିକ ଚିତ୍ର

ଆଖିବୁଜା ଋଣ ବଣ୍ଟନକୁ ରୋକିବାରେ ବିଫଳ ଆର୍ବିଆଇ : ଜେଟଲୀ
ନୂଆଦିଲ୍ଲୀ,୩୦ା୧୦ : ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୦୮ରୁ ୨୦୧୪ ମଧ୍ୟରେ ଆଖିବୁଜି ଋଣ ଦେଇଥିବା ବ୍ୟାଙ୍କ ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଥିବା ରିଜର୍ଭ ବ୍ୟାଙ୍କର ସମାଲୋଚନା କରିଛନ୍ତି । ସେ ମଙ୍ଗଳବାର କହିଛନ୍ତି ଯେ, ଏଥିରେ ବ୍ୟାଙ୍କରେ ଫସି ରହିଥିବା ଋଣ (ଏନ୍ପିଏ)ର ସଙ୍କଟ ବୃଦ୍ଧି ପାଇଛି । ଜେଟଲୀ ଏହି ଟିପ୍ପଣୀ ସେହି ସମୟରେ କରିଛନ୍ତି ଯେଉ ସମୟରେ କେନ୍ଦ୍ରୀୟ ବ୍ୟାଙ୍କର ସ୍ୱାଧୀନତାକୁ ନେଇ ଅର୍ଥ ମନ୍ତ୍ରାଳୟ ଓ ଆରବିଆଇ ମଧ୍ୟରେ ତିକ୍ତତା ବଢ଼ିଥିବା କୁହାଯାଉଛି ।

ଆରବିଆଇର ଡେପୁଟୀ ଗଭର୍ଣ୍ଣର ବିରଲ ବି ଆଚାର୍ଯ୍ୟ କହିଥିଲେ ଯେ, କେନ୍ଦ୍ରୀୟ ବ୍ୟାଙ୍କର ସ୍ୱାଧୀନତାକୁ ଉପେକ୍ଷା କରିବା ବଡ ଘାତକ ହୋଇପାରେ । ଏହି କ୍ରମରେ ମଙ୍ଗଳବାର ୟୁଏସ୍ ଇଣ୍ଡିଆ ଷ୍ଟ୍ରାଟେଜିକ ପାର୍ଟନରସିପ ଫୋରମ ପକ୍ଷରୁ ଆୟୋଜିତ ଇଣ୍ଡିଆ ଲିଡରସିପ୍ ସମ୍ମିଳନୀରେ ଜେଟଲୀ କହିଛନ୍ତି ଯେ, ବିଶ୍ୱ ଆର୍ଥିକ ସଙ୍କଟ ପରେ ୨୦୦୮ରୁ ୨୦୧୪ ମଧ୍ୟରେ ଅର୍ଥ ବ୍ୟବସ୍ଥାକୁ ଆଗକୁ ବଢ଼ାଇବା ପାଇଁ ବ୍ୟାଙ୍କ ଗୁଡିକୁ ନିଜର ଦ୍ୱାର ଖୋଲିବା ଓ ଆଖିବୁଜା ଋଣ ଦେବାକୁ କୁହାଯାଇଥିଲା । ମାତ୍ର ସେହି ସମୟରେ ଆରବିଆଇର ନଜର ଅନ୍ୟ କୁଆଡ ଥିଲା । ବ୍ୟାଙ୍କ ଗୁଡିକ ଆଖିବୁଜି ଋଣ ଦେଇ ଚାଲିଥିଲେ । ତତ୍କାଳୀନ ସରକାର ବ୍ୟାଙ୍କ ଉପରେ ଋଣ ଦେବା ଉପରେ ଜୋର ଦେବାକୁ କହିଥିଲେ । ଫଳସ୍ୱରୂପ ଗୋଟିଏ ବର୍ଷରେ ଋଣ ୩୧ ପ୍ରତିଶତ ବୃଦ୍ଧି ଘଟିଥିଲା । ଯାହା ପୂର୍ବରୁ ଋଣ ହାରାହାରି ୧୪ ପ୍ରତିଶତ ଥିଲା ।

ଆଚାର୍ଯ୍ୟ ଶୁକ୍ରବାର ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ଆରବିଆଇ ବ୍ୟାଙ୍କରେ ବହି ଖାତା ଉପରେ ଅଧିକ ଜୋର ଦେବା ପାଇଁ, ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ଗୁଡିକୁ ଆହୁରି ଉତ୍ତମ ଭାବେ ପରିଚାଳନା କରିବା ପାଇଁ ଆରବିଆଇକୁ ଅଧିକ ଶକ୍ତି ଦେବାକୁ ଦାବି କରିଥିଲେ । ବ୍ୟାପକ ସ୍ତରରେ ବୃହତ ଆର୍ଥିକ ସ୍ଥିରତା ପାଇଁ ଆରବିଆଇକୁ ଅଧିକ ଶକ୍ତି ଦେବା ସହିତ ସ୍ୱାଧୀନତା ଦେବା ଜରୁରୀ ବୋଲି ଆଚାର୍ଯ୍ୟ କହିଛନ୍ତି ।

ଜେଟଲୀ ଆଚାର୍ଯ୍ୟଙ୍କ ଏହି ମନ୍ତବ୍ୟ କିମ୍ବା ତାଙ୍କ ମନ୍ତ୍ରାଳୟ ଓ ଆରବିଆଇ ମଧ୍ୟରେ କଥିତ ତିକ୍ତତା ବିଷୟରେ କିଛି ଉଲ୍ଲେଖ କରି ନାହାନ୍ତି । ପୂର୍ବରୁ ଅର୍ଥମନ୍ତ୍ରୀ କହି ସାରିଛନ୍ତି ଯେ କୌଣସି ଅନିୟମିତତା ପାଇଁ ରାଜନେତାଙ୍କୁ ଅନୁଚିତ ଭାବେ ଅଭିଯୋଗର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଏହା ଉପରେ ଯିଏ ନଜର ରଖିବା ଦରକାର ଉକ୍ତ ବ୍ୟକ୍ତି କିମ୍ବା ସଂସ୍ଥା ସହଜରେ ମୁକୁଳି ଯାଆନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ