Connect with us

ଅପରାଧ

ଆଇନଜୀବୀଙ୍କୁ ମାଡ଼ ଘଟଣାରେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ବାର୍‌ ଆସୋସିଏସନ l

ଆଇନଜୀବୀଙ୍କୁ ମାଡ଼ ଘଟଣାରେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ବାର୍‌ ଆସୋସିଏସନ l

କଟକ :-୨୪।୯ କଟକର ଆଇନଜୀବୀ-ପୋଲିସ ବିବାଦକୁ ମାସେ ପୂରିବାକୁ ଯାଉଛି । କିନ୍ତୁ ଏଯାଏ ବିବାଦର କୌଣସି ସ୍ଥାୟୀ ସମାଧାନ ହୋଇପାରି ନାହିଁ । ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୋଲିସର ମାଡ଼ ଘଟଣାରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସୋମବାର ହାଇକୋର୍ଟ ବାର୍‌ ଅସୋସିଏସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନେଇଛି । ସେହିପରି ଆସନ୍ତା ଗୁରୁବାର ଦିନ ଆଇନଜୀବୀମାନଙ୍କର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁଭେଟିବ ବୋଲି ସ୍ଥିର ହୋଇଛି । ଏଥିସହ ରାଜ୍ୟ ଆଡଭୋକେଟ ଜେନେରାଲ ମଧ୍ୟ ଏହି ଘଟଣାରେ ନିଲମ୍ବିତ ପୋଲିସ କର୍ମଚାରୀଙ୍କ ଗିରଫଦାରି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ବାର୍‌ ଆସୋସିଏସନ ସମ୍ପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ୨୮ ତାରିଖ ସନ୍ଧ୍ୟାରେ ଆଇନଜୀବୀଙ୍କୁ ମାଡ଼ ଘଟଣାରେ କଟକ ଡିସିପି ସେଦିନ ଡ୍ୟୁଟିରେ ଥିବା ତିନି ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ । କିନ୍ତୁ ଦୋଷୀ ପୋଲିସ କର୍ମଚାରୀମାନଙ୍କ ଗିରଫ ଦାବିରେ ଅଟଳ ରହିଛି ରାଜ୍ୟ ହାଇକୋର୍ଟ ବାର୍‌ ଆସୋସିଏସନ । ଏହି ଘଟଣାର ତଦନ୍ତ ପ୍ରଥମେ କ୍ରାଇମବ୍ରାଞ୍ଚ ଓ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଡିଆଇଜି ହିମାଂଶୁ ଲାଲ କରୁଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୬ ତାରିଖକୁ ରହିଛି । ହାଇକୋର୍ଟରେ ଏ ନେଇ ହୋଇଥିବା ଏକ ଜନସ୍ବାର୍ଥ ମାମଲାରେ ସେ ସୋମବାର କୋର୍ଟରେ ହାଜର ହୋଇ ନିଜର ଉତ୍ତର ରଖିଛନ୍ତି । ଦୀର୍ଘଦିନ ଧରି ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବାରୁ ଜନସାଧାରଣଙ୍କର ଜରୁରୀ ମାମଲା ଗୁଡିକର ପରିଚାଳନାରେ ଘୋର ଅସୁବିଧା ହେଉଛି l

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ