Connect with us

ଖେଳ

ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ସିରିଜ୍ ବିଜୟ

ସାଙ୍କେତିକ

ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ସିରିଜ୍ ବିଜୟ
ମେଲବର୍ଣ୍ଣ,୧୮ା୧ : ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ଦିନିକିଆରେ ଉଭୟ ବୋଲିଂ ଓ ବ୍ୟାଟିଂରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି । ଟେଷ୍ଟ ଭଳି ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ଜିତିବାର ଇତିହାସ ରିଚିଛି ବିରାଟ ବାହିନୀ । ଆଜି ଖେଳାଯାଇଥିବା ତୃତୀୟ ଦିନିକିଆରେ ପ୍ରଥମେ ବୋଲିଂରେ କମାଲ ଦେଖାଇଥିଲେ ସ୍ପିନର ୟୁଜବେନ୍ଦ୍ର ଚହଲ । ସେହିଭଳି ବ୍ୟାଟିଂରେ ଧମଲା ମଚାଇଥିଲେ ମହେନ୍ଦ୍ର ସିଂହ ଧୋନି । ସେ ଭାରତକୁ ୭ ୱିକେଟ୍ରେ ମ୍ୟାଚ୍ ଜିତାଇବା ସହ ପୁଣିଥରେ ନିଜ ଅଭିଜ୍ଞତାର ପ୍ରମାଣ ଦେଖାଇଛନ୍ତି । ଧୋନି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୮୭ ରନ୍ର ଇନିଂସ ଖେଳିଥିଲେ । ସେହିପରି କେଦାର ଯାଦବ ଅପରାଜିତ ୬୧ ରନ୍ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ବିରାଟ କୋହଲି ୪୬ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୩୦ ରନ୍ କରିଥିବା ବେଳେ ଭାରତ ୪୯.୨ ଓଭରରେ ୩ ୱିକେଟ୍ ହରାଇ ଏହି ଐତିହାସିକ ବିଜୟ ହାସଲ କରିଛି । ଘାତକ ବୋଲିଂ ପାଇଁ ଚହଲଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚନା କରାଯାଇଛି । ସେ ୧୦ ଓଭର ବୋଲିଂ କରି ୪୨ ରନ୍ ଦେଇ ୬ ୱିକେଟ୍ ହାସଲ କରିଥିଲେ । ଭାରତ ଅଷ୍ଟ୍ରେଲିଆକୁ ୨-୧ରେ ହରାଇ ସିରିଜ୍ ଜିତିଛି ଏବଂ ମହେନ୍ଦ୍ର ସିଂହ ଧୋନି ଫ୍ଲେୟାର ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ଦିଆଯାଇଥିବା ୨୩୧ ରନ୍ର ଟାର୍ଗେଟକୁ ପିଛା କରୁଥିବା ଭାରତୀୟ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ୧୫ ରନ୍ ଥିବା ବେଳେ ଓପ୍ନର ରୋହିତ ଶର୍ମା ୯ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ ।

ଏହାପରେ କିଛି ସମୟ ପରେ ଅନ୍ୟତମ ଓପ୍ନର ଶିଖର ଧାୱନଙ୍କ ସହ ମିଶି ବିରାଟ୍ ସ୍ଥିତି ସମ୍ଭାଳିଥିଲେ । ମାତ୍ର ଦଳୀୟ ସ୍କୋର ୫୯ ଥିବା ବେଳେ ଧାୱନ ବ୍ୟକ୍ତିଗତ ୨୩ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ । ଧାୱନଙ୍କ ପରେ ୪ନଂରେ ବ୍ୟାଟିଂ କରିବାକୁ ଆସିଥିଲେ ଧୋନି । ଧୋନି ୩ୟ ୱିକେଟ୍ ଯୋଡିରେ ବିରାଟଙ୍କ ସହ ମିଶି ୫୪ ରନ୍ର ଭାଗୀଦାରୀ କରିଥିଲେ । ଉଭୟ ସ୍କୋରକୁ ଆଗକୁ ନେଉଥିବା ବେଳେ ବିରାଟ ଭୁଲ ସଟ୍ ଖେଳି ଆଉଟ୍ ହୋଇଯାଇଥିଲେ । ଆଉଟ୍ ହେବା ପୂର୍ବରୁ ସେ ୪୬ ରନ୍ର ଇନିଂସ ଖେଳିଥିଲେ ।

ବିରାଟ୍ ଆଉଟ୍ ହେବା ପରେ କ୍ରିଜ୍କୁ ଆସିଥିଲେ କେଦାର ଯାଦବ । ସିରିଜ୍ରେ ପ୍ରଥମ ମ୍ୟାଚ୍ ଖେଳୁଥିବା କେଦାର ଯାଦବ କାହାକୁ ନିରାଶ କରିନଥିଲେ । ସେ ଧୋନିଙ୍କ ସହ ମିଶି ୫ମ ୱିକେଟ୍ ପାଇଁ ୧୨୧ ରନ୍ର ଭାଗୀଦାରି କରିଥିଲେ । ଇତି ମଧ୍ୟରେ ଧୋନି ସିରିଜ୍ରେ କ୍ରମାଗତ ୩ୟ ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ଏହା ତାଙ୍କ ଦିନିକିଆ କ୍ୟାରିୟରର ୭୦ତମ ଅର୍ଦ୍ଧଶତକ । କେଦାର ଯାଦବ ମଧ୍ୟ ୫୨ଟି ବଲ୍ରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଉଭୟ ଦଳୀୟ ସ୍କୋରକୁ ୪୮ ଓଭର ସୁଦ୍ଧା ୨୧୭ରେ ପହଞ୍ଚାଇଥିଲେ । ମାତ୍ର ଶେଷ ୨ ଓଭରରେ ଭାରତକୁ ୧୪ ରନ୍ ଦରକାର ଥିଲା । ଧୋନି ଷ୍ଟ୍ରାଇକ୍ କରୁଥିବା ବେଳେ ସାମ୍ନାରେ ଥିଲେ ସିଡିଲ୍ । ଏହି ଓଭରରେ ଉଭୟ ଧୋନି ଓ କେଦାର ମିଳିତ ଭାବେ ୧୩ ରନ୍ ହାସଲ କରିନେଇଥିଲେ । ବିଶେଷକରି କେଦାର ନିଜର ବିସ୍ଫୋରକ ରୂପ ଦେଖାଇଥିଲେ । ଶେଷ ଓଭରରେ ମାତ୍ର ୧ ରନ୍ ଥିବା ବେଳେ କେଦାର ଯାଦବ ଚୌକା ମାରି ଭାରତକୁ ବିଜୟର ଉପହାର ଦେଇଥିଲେ ।

ଏଥିସହ ଭାରତ ୪ଟି ବଲ୍ ପୂର୍ବରୁ ବିଜୟ ଲାଭ କରିଥିଲା । ଧୋନି ଶେଷ ପର୍ଯ୍ୟନ୍ତ ରହି ୮୭ ଓ କେଦାର ଯାଦବ ୬୧ ରନ୍ କରି ଅପରାଜିତ ରହିଥିଲେ । ଏଥିସହିତ ଭାରତ ପୁଣିଥରେ ୭ ୱିକେଟ୍ରେ ବିଜୟ ଲାଭ କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ