Connect with us

ଅପରାଧ

ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ମୁଖ୍ୟ ଗିରଫ

_ଭୁବନେଶ୍ୱର,୩ା୮ : କଳାହାଣ୍ଡି ଜାରିଙ୍ଗ ସ୍ଥିତ ବହୁ ଚର୍ଚ୍ଚିତ ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ୍ର ମାଲିକ ଏ ଜନସଲ୍ ରାଜାଙ୍କୁ ତାମିଲ୍ନାଡୁର କନ୍ୟାକୁମାରୀ ଜିଲ୍ଲା ନଗରକୋଲି ସ୍ଥିତ ତାଙ୍କ ନିଜ ବାସଭବନରୁ ଗିରଫ କରାଯାଇଛି । ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ରିମାଂଡରେ ଓଡ଼ିଶା ଅଣାଯାଇଛି । ସୂଚନାଯୋଗ୍ୟ ଯେ, ସେଲ୍ଭାମ୍ ଏଜୁକେସନାଲ୍ ଆଣ୍ଡି ଚାରିଟେବୁଲ୍ ଟ୍ରଷ୍ଟର ପରିଚାଳନା ସଦସ୍ୟ ଏ ଜେ ରାଜା କଳାହାଣ୍ଡିର ଜାରିଙ୍ଗଠାରେ ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ୍ ନାମରେ ଏକ ଭେଷଜ ମହାବିଦ୍ୟାଳୟ ସ୍ଥାପନା କରିଥିଲେ । ଏଥିପାଇଁ ୨୦୦୪ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସହିତ ରାଜା ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ଚୁକ୍ତିନାମା ଅନୁଯାୟୀ ପରିଷଦ ପକ୍ଷରୁ ୨୫ ଡିସିମିଲ୍ ସରକାରୀ ଜମି ସହିତ ୧୦ କୋଟି ଟଙ୍କା ଟ୍ରଷ୍ଟକୁ ଯୋଗାଇ ଦିଆଯାଇଥିଲା । ଏସବୁ ସତ୍ତେ୍ୱ ରାଜା ମେଡିକାଲ କଲେଜ୍ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶ କରି ନଥିଲେ । ଅପରପକ୍ଷରେ ଭ୍ରମତ୍ମକ ତଥ୍ୟ ସମ୍ବଳିତ କାଗଜପତ୍ର ଦାଖଲ କରି ୨୦୧୩-୧୪ ଓ ୨୦୧୪-୧୫ ଶିକ୍ଷାବର୍ଷରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏମ୍ସିଆଇଠାରୁ ଅନୁମତି ଆଣିଥିଲେ । ଏ ସମ୍ପର୍କରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଟ୍ରଷ୍ଟ ଅନ୍ଧାରରେ ରଖିଥିଲା । ଏ ବିଷୟରେ ଜଣାପଡିବା ପରେ ୨୦୧୫-୧୬ ଶିକ୍ଷାବର୍ଷରେ ନାମ ଲେଖା ଓ ତୃତୀୟ ବର୍ଷ ପାଠ୍ୟକ୍ରମ ପାଇଁ ଏମ୍ସିଆଇ ଅନୁମତି ଦେଇ ନଥିଲେ । ଏହାଜାଣି ମଧ୍ୟ ରାଜା ପାଠ୍ୟକ୍ରମ ଫି’ ଆକାରରେ ଛାତ୍ରଛାତ୍ରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲେ । ଅସନ୍ତୋଷ ତେଜିବାରୁ ରାଜା ମେଡିକାଲ୍ କଲେଜକୁ ଅଧାରୁ ବନ୍ଦ କରି ଫେରାର ହୋଇଯାଇଥିଲେ । କଲେଜ ବନ୍ଦ ହୋଇଯିବାରୁ ୧୨୪ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଥିଲା । ଏହି ଘଟଣା ସେତେବେଳେ ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଥିଲା । ଘଟଣାରେ ସରକାରଙ୍କ ହସ୍ତକ୍ଷେପ ଦାବିକରି ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଛାତ୍ରଛାତ୍ରୀ ରାଜଧାନୀ ଭୁବନେଶ୍ୱରରେ ଧାରଣା ଦେଇଥିଲେ । କିନ୍ତୁ ସରକାର ସମସ୍ୟା ସମାଧାନ କରିବାରେ ବିଫଳ ହେବାରୁ ଏମ୍ସିଆଇଙ୍କ ହସ୍ତକ୍ଷେପ ଲୋଡି ନୂଆଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରୁ ମଧ୍ୟ ନିରାଶ ହେବା ପରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ରାଜ୍ୟର ଅନ୍ୟାନ୍ୟ ମେଡିକାଲ କଲେଜ୍ରେ ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ୍ର ଛାତ୍ରଛାତ୍ରୀଙ୍କୁ ପଢ଼ିବାର ସୁଯୋଗ ଦେବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଛାତ୍ରଛାତ୍ରୀ ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ପାଠ ପଢ଼ିବାର ସୁଯୋଗ ପାଇଥିଲେ ମଧ୍ୟ ସେଠାରେ ସେମାନଙ୍କୁ ସ୍ଥାନୀୟ ମେଡିକାଲ ଛାତ୍ରଛାତ୍ରୀଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ବହୁ ବାଦବିବାଦ ପରେ ଶେଷରେ ସେମାନଙ୍କୁ ପଢ଼ିବାର ସୁଯୋଗ ମିଳିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ