Connect with us

ଓଡିଶା

ଶ୍ରୀମନ୍ଦିରର ୧୦୦କୋଟିରୁ ଊଦ୍ଧ୍ୱର୍ ବଜେଟ ଅନୁମୋଦିତ

ସାଙ୍କେତିକ

ଶ୍ରୀମନ୍ଦିରର ୧୦୦କୋଟିରୁ ଊଦ୍ଧ୍ୱର୍ ବଜେଟ ଅନୁମୋଦିତ, ଦେଢକୋଟି ଟଙ୍କାର ଚନ୍ଦନକାଠ କିଣାହେବ
ପୁରୀ, ୧୫ ମାର୍ଚ୍ଚ – ଶ୍ରୀମନ୍ଦିର ପରିଚାଳନା କମିଟିର ୨୦୧୯-୨୦ ପାଇଁ ବଜେଟ ଅନୁୁମୋଦନ ହୋଇଛି । ୧୦୦କୋଟିରୁ ଅଧିକ ଟଙ୍କାର ଏହି ବଜେଟ ଅନୁମୋଦନ ହୋଇ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି । ବିଭିନ୍ନ ସୂତ୍ରରୁ ୧୦୨କୋଟି ଟଙ୍କା ଆୟ ହେଉଥିବାବେଳେ ୭୮କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଶ୍ରୀମନ୍ଦିରର ବିଶେଷ ଆୟ ଜମିଜମା କ୍ଷେତ୍ରରୁ ଆସୁଥିବାେବେଳ ଦାନ ସୂତ୍ରରୁ ଆୟ ବଢୁନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଥିବାରୁ ଶ୍ରୀ ମହାପାତ୍ର ଅଧିକ ସୂଚନା ଦେଇନଥିଲେ ।

ତେବେ ସେ କହିଥିଲେ ଯେ, ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆଜିର ବୈଠକ ସ୍ଥିରିକୃତ ହୋଇଥିଲା । ଜମିଜମା ସଂକ୍ରାନ୍ତରେ ୟୁନିଫର୍ମ ପଲିସି ଯୋଗୁଁ ଅଧିକ ଆୟ ହେବାର ସମ୍ଭାବନା ରହିଛି । ଗତ ୧୦ଦିନ ପୂର୍ବରୁ ଏହି ପଲିସି ରାଜ୍ୟ ସରକାର ସ୍ୱୀକୃତି ଦେଇଥିବାରୁ କମ୍ ସଂଖ୍ୟକ ଆବେଦନ ପହଂଚିଛି । ଶ୍ରୀମନ୍ଦିରର ଆୟ ଜମିଜମା ଓ କ୍ୟୁରିରୁ ଆସିଥାଏ । ଚଳିତ ବର୍ଷ ଜମିଜମା କ୍ଷେତ୍ରରୁ ୧୫କୋଟି ଟଙ୍କା ଆୟ ହୋଇଛି । ଜମି ବିକ୍ରି ପ୍ରକ୍ରିୟା ପ୍ରଣାଳୀ ଅଧିକ ଜଟିଳ ହୋଇଥିବାରୁ ସେଥିପାଇଁ ଅଧିକ ସମୟ ଲାଗୁଛି । ଭାରତବର୍ଷରେ ଥିବା ବିଭିନ୍ନ ମନ୍ଦିରର ଆୟ ମୁଖ୍ୟତଃ ଦାନ ସୂତ୍ରରୁ ଆସୁଥିବାବେଳେ ଶ୍ରୀମନ୍ଦିରର ଦାନସୂତ୍ରରୁ ମାତ୍ର ୪କୋଟି ଆୟ ମିଳୁଛି । ଦାନସୂତ୍ରର ଆୟବୃଦ୍ଧି ପାଇଁ ଅନେକ ବ୍ୟବସ୍ଥା କରାଯିବ । ଗତବର୍ଷ କର୍ପୋସ ଫଣ୍ଡରୁ ଆୟ ବର୍ତମାନ ସୁଦ୍ଧା ୬୫୦ କୋଟି ରହିଥିବାବେଳେ ଆହୁରି ୫୦କୋଟି ଟଙ୍କା ବଢାଇବା ପାଇଁ ବ୍ୟବସ୍ଥା କରାଯିବ । ଦୋଳପୂର୍ଣ୍ଣିମା ନୀତି ନିର୍ଘଂଟ ଚୂଡ଼ାନ୍ତ ହେବା ପରେ ପରିଚାଳନା କମିଟିରେ ତାହା ଅନୁମୋଦନ କରାଯାଇଛି । ସେବକଙ୍କ ପ୍ରାପ୍ୟ ପାଉଣା, କର୍ମଚାରୀଙ୍କ ଦରମା ଓ ପ୍ରଚାର ପ୍ରସାର ପାଇଁ ଅଧିକ ଖର୍ଚ୍ଚ ହେଉଛି । ସେବକ କଲ୍ୟାଣ ପାଣ୍ଠି ପାଇଁ ୫କୋଟି ଟଙ୍କା ରଖାଯାଇଛି । ଶ୍ରୀଜଗନ୍ନାଥ ବଲ୍ଲଭ ଓ ମାଳତୀପାଟପୁର ନିକଟରେ ଯାତ୍ରୀ ବିଶ୍ରାମଗାର ପାଇଁ ୫୬ କୋଟି ଟଙ୍କା ନାଲକୋ ଖର୍ଚ୍ଚ କରିବ । ଆଦର୍ଶ ଗୁରୁକୁଳ ପାଇଁ ସାଢେ ୩ କୋଟି ଟଙ୍କା ରାଜ୍ୟ ସରକାରଙ୍କ ପାଖରେ ରହିଛି । ଜଣେ ଉଦ୍ୟୋକ୍ତା ଅଧିକ ବ୍ୟୟକରି ଏହି ଆଦର୍ଶ ଗୁରୁକୁଳର ନିର୍ମାଣ କରିବା ପାଇଁ ଯୋଜନା ରହିଛି । ରାଜସ୍ୱ ଅଟକଳ କମିଲେ କିମ୍ବା ବଢିଲେ ବଜେଟରେ ସେତେଟା ଫରକ ପଡିବ ନାହିଁ ଏବଂ କ୍ୟାପିଟାଲ ଖର୍ଚ୍ଚ ନିର୍ଦ୍ଦିଷ୍ଟ ସମୟ ଭିତରେ କରାନଗଲେ ତାହାର ପ୍ରଭାବ ବଜେଟ ଉପରେ ପଡିବ । ଶ୍ରୀମନ୍ଦିରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟପାଇଁ ୩୮କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେବକମାନଙ୍କ କଲ୍ୟାଣ ପାଇଁ ୩୨କୋଟି ଟଙ୍କା ଶ୍ରୀମନ୍ଦିର ପ୍ରଶାସନ ଖର୍ଚ୍ଚ କରୁଛି । ଶ୍ରୀମନ୍ଦିର କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୨୮କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହି ଟଙ୍କା ରାଜ୍ୟ ସରକାର ବହନ କରିବା ପାଇର୍ ପ୍ରସ୍ତାବ ରହିଛି । ଦୋଳ ପୂର୍ଣ୍ଣିମା ନୀତି ନିର୍ଘଂଟକୁ ସଠିକ୍ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଭୋର ସାଢେ ୩ଟାରୁ ଦ୍ୱାର ଫିଟାଯାଇ ବିଭିନ୍ନ ନୀତି ସଂପାଦନ କରାଯାଉଛି । ରଥଯାତ୍ରା ଖର୍ଚ୍ଚପାଇଁ ଏବର୍ଷ ୬କୋଟି ଟଙ୍କା ଅଟକଳ କରାଯାଇଛି । ନବକଳେବର ସମୟରେ ଚନ୍ଦନକାଠ ଅଣାଯାଇଥିଲା । ତାହା ଏବେ ଶେଷ ହୋଇଗଲାଣି । ଏବର୍ଷ ୧୫ କ୍ୱିଂଟାଲ ଚନ୍ଦନକାଠ ଆଣିବା ପାଇଁ ଦେଢକୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରତିବର୍ଷ ସେବକମାନଙ୍କର ପ୍ରାପ୍ୟ ପାଉଣା ୧୦ ପ୍ରତିଶନ ବୃଦ୍ଧି କରାଯାଉଛି । ଯାହା ୫ବର୍ଷରେ ଦୁଇଗୁଣିତ ହେଉଛି । ମହାରଣା ସେବକମାନଙ୍କ ପାଇଁ କାର୍ଯ୍ୟର ଆବଶ୍ୟକତା ଅନୁଯାୟୀ ବ୍ୟୟବରାଦ ହେବ ।
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି ବୈଠକରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସପି ଡଃ. ଉମାଶଙ୍କର ଦାଶ ଓ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା