Connect with us

ବିଦେଶ

ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ୧୮୯ ମୃତ

ସାଙ୍କେତିକ ଚିତ୍ର

ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ
୧୮୯ ମୃତ
ଜାକାର୍ତ୍ତା, ୨୯ା୧୦ : ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାଠାରୁ ପାଙ୍କଲ ପିନାଙ୍ଗ ସହର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବିମାନ ‘ଜେଟି-୬୧୦’ ସୋମବାର ସକାଳେ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ୧୮୯ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ।

ସୂଚନା ଅନୁସାରେ ଉଡାଣ ଭରିବାର ୧୩ ମିନିଟ୍ ପରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ର ଗର୍ଭରେ ପଡିଥିଲା । ଉଦ୍ଧାରକାରୀ ଦଳ ସମୁଦ୍ର ମଧ୍ୟରୁ ବିମାନର ଭଗ୍ନାଂବଶେଷ ପାଇଛନ୍ତି । ବିମାନରେ ୧୮୧ଜଣ ଯାତ୍ରୀ, ଦୁଇଜଣ ପାଇଲଟ ଏବଂ ୬ଜଣ ଅନ୍ୟ କର୍ମଚାରୀ ଥିଲେ । ବିମାନ ସହ ରେଡିଓ ଯୋଗାଯୋଗ ବିଚ୍ଛିନ୍ନ ହେବା ସ୍ଥାନଠାରୁ ପ୍ରାୟ ଦୁଇ ନଟିକଲ ମିଲ (୩.୭ କିଲୋମିଟର) ଦୂରରେ କାରୱାଙ୍ଗ ଉପସାଗର ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବିମାନରେ ଇଣ୍ଡୋନେସିଆ ଅର୍ଥ ମନ୍ତ୍ରାଳୟର ୨୦ଜଣ ଅଧିକାରୀ ମଧ୍ୟ ଥିଲେ । ବିମାନର ଦୁଇ ପାଇଲଟଙ୍କ ମଧ୍ୟରୁ ଜଣେ ଭାରତୀୟ ବୋଲି ଜାଣିବାକୁ ମିଳିଛି । ଉଦ୍ଧାରକାରୀ ଦଳ ସମୁଦ୍ର ଗର୍ଭରୁ ବହୁ ଲୋକଙ୍କ ଶବ ଉଦ୍ଧାର କରିଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଇଟାଲି ନାଗରିକ ଅଛନ୍ତି ।

ବିମାନ କମ୍ପାନୀ ଲାୟନ ଏୟରର ସିଇଓ ଏଡୱାର୍ଡ ସୈଟ କହିଛନ୍ତି ଯେ, ରବିବାର ବିମାନରେ କିଛି ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ସେତେବେଳେ ବିମାନଟି ଡେନପସାରରୁ ଜାକାର୍ତ୍ତା ଆସୁଥିଲା । ଯନ୍ତ୍ରୀ ବୈଷୟିକ ତ୍ରୁଟିକୁ ଠିକ୍ କରିବା ପରେ ସୋମବାର ସକାଳେ ବିମାନଟି ଉଡାଣ ଭରିଥିଲା । ଇଣ୍ଡୋନେସିଆ ଏୟାର ନାଭିଗେସନ (ଆକାଶ ପଥରେ ଦିଗ ନିର୍ଣ୍ଣୟକ) ଅଧିକାରୀ ସିନ୍ଦୁ ରହାୟୁ କହିଛନ୍ତି ଯେ, ବିମାନଟି ଉଡାଣ ଭରିବାର କିଛି ସମୟ ପରେ ପାଇଲଟ ବିମାନକୁ ଫେରାଇ ଆଣିବା ପାଇଁ ଅନୁମତି ମାଗିଥିଲେ । ଅନୁମତି ମିଳିବାର ମାତ୍ର କିଛି ସେକେଣ୍ଡ ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ସହ ପାଇଲଟଙ୍କ ରେଡିଓ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।

ଅନ୍ତର୍ଜାତୀୟ ସଂସ୍ଥା ଫ୍ଲାଇଟ୍ରାଡାରର ତଥ୍ୟ ଅନୁସାରେ ଲାୟନ ଏୟାର ବିମାନ ଜେଟି-୬୧୦ ସ୍ଥାନୀୟ ସମୟ ଅନୁସାରେ ସକାଳ ପ୍ରାୟ ୬ଟା ୨୦ରେ ଉଡାଣ ଭରିଥିଲା । ଏହାର ୧୩ ମିନିଟ୍ ପରେ ସମୁଦ୍ର ଉପରେ ବିମାନଟି ହଜିଯାଇଥିଲା । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ସମୟରେ ଭୃପୃଷ୍ଠରୁ ୫୦୦୦ ଫୁଟ ଉପରେ ଥିଲା । ଏହାପରେ ଦ୍ରୁତ ଗତିରେ ଏହା ତଳକୁ ଖସିବାକୁ ଲାଗିଲା । ବିମାନଟି ତଳକୁ ଖସି ୩୬୫୦ ଫୁଟ୍ ଉଚ୍ଚରେ ଥିବା ବେଳେ ପାଇଲଟଙ୍କ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା ।

ଏହା ଇଣ୍ଡୋନେସିଆର ସବୁଠୁ ବଡ ବିମାନ ଦୁର୍ଘଟଣା ବୋଲି କୁହାଯାଉଛି । ଏହାପୂର୍ବରୁ ୨୦୧୪ ଡିସେମ୍ବର ମାସରେ ଏୟାର ଏସିଆର ଏକ ବିମାନ ଦୁର୍ଘଟଣାରେ ୧୬୨ଜଣଙ୍କ ମୃତ୍ୟୁ ଘଟିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ