Connect with us

ଓଡିଶା

ମୁଖ୍ୟମନ୍ତ୍ରୀ ପୋଲିସର ଅପବ୍ୟବହାର କରି ବିଜେପି ନେତାଙ୍କୁ ଟାର୍ଗେଟ କରୁଛନ୍ତି : ବିଜେପି

ସାଙ୍କେତିକ

ମୁଖ୍ୟମନ୍ତ୍ରୀ ପୋଲିସର ଅପବ୍ୟବହାର କରି ବିଜେପି ନେତାଙ୍କୁ ଟାର୍ଗେଟ କରୁଛନ୍ତି : ବିଜେପି
– ଆଇନକୁ ତା ବାଟରେ ଯିବାର ଦ୍ୱାହି ଦେଇ ମୁଖ୍ୟମନ୍ତ୍ରୀ ଅନ୍ଧ ଧ୍ରୁତରାଷ୍ଟ୍ର ସାଜିଛନ୍ତି
ଭୁବନେଶ୍ୱର, ୩୧ ଜାନୁଆରୀ – ଆଇନ ତା ରାସ୍ତାରେ ଯିବ-ଦୀର୍ଘ ୧୯ ବର୍ଷ ଧରି ଏହି କଥାର ଦ୍ୱାହି ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୋମୁହାଁ ଚରିତ୍ର ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ରାଜ୍ୟରେ ବଡ ରାଜନୈତିକ ପରିବର୍ତନର ଆଭାସ ମିଳିବା କାରଣରୁ ରାଜନୈତିକ ବିରୋଧୀ ବିଶେଷ ଭାବେ ବିଜେପି ପ୍ରତି ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ପ୍ରତିହିଂସା ପରାୟଣ ହୋଇ ଉଠିଛନ୍ତି । ମୁଖ୍ୟମନ୍ତ୍ରୀ ସବୁ ଦେଖି, ସବୁ ଜାଣି ଅନ୍ଧ ଧ୍ରୁତରାଷ୍ଟ୍ର ସାଜିଛନ୍ତି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ଯେ ଗଞ୍ଜାମ ଲକ୍ଷ୍ମୀଦତ ହତ୍ୟା ମାମଲାରେ ପୋଲିସ ଅନ୍ତରୀଣ ଚାର୍ଜସିଟ ଦାଖଲ କରିସାରିଛି । ଏଥିରେ କୌଣସି ବିଜେପି ନେତାଙ୍କ ନାମ ନାହିଁ । ମାତ୍ର ରାଜନୈତିକ ଶତ୍ରୁତାକୁ ଆଇନର ଦ୍ୱାହି ଦେଇ ମୁଖ୍ୟମନ୍ତ୍ରୀ ଆଇନକୁ ନିଜ ଇଚ୍ଛା ଅନୁସାରେ ଚଳାଇବାର ଷଡଯନ୍ତ୍ରରେ ସାମିଲ ହୋଇଛନ୍ତି । ଓଡିଶାକୁ ଆସିଥିବା ୱାଇ ଓ ଜେଡ୍ ସୁରକ୍ଷା ପ୍ରାପ୍ତ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଓ ନିରଞ୍ଜନା ଜ୍ୟୋତି ତଥା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଉପରେ ମରଣାନ୍ତକ ଆକ୍ରମଣ ମାମଲାରେ ବିଜେଡିର ସ୍ଥାନୀୟ ବିଧାୟକ , ନେତା ଓ କର୍ମୀ ଗଣମାଧ୍ୟମ କ୍ୟାମେରା ସାମ୍ନାରେ କରିଥିବା ମରଣାନ୍ତକ ଆକ୍ରମଣର ଅପରାଧୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ୟେକ୍ଷ ତତ୍ୱାବଧାନରେ ସୁରକ୍ଷା ଯୋଗାଇ ଦିଆଯାଉଛି ।
ମେଧାବୀ ଇଜିନିୟରିଂ ଛାତ୍ର ଋଷିର ହତ୍ୟାକାଣ୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ଅତି ଆପଣାର ଭୁବବେଶ୍ୱର ମେୟର ଅନନ୍ତ ଜେନାଙ୍କର ଯୌନସିଡି ସହ ସମ୍ପର୍କ ନେଇ ତଦନ୍ତକୁ ମୁଖ୍ୟମନ୍ତ୍ରୀ ରାଜନୈତିକ ସ୍ୱାର୍ଥ ପାଇଁ ବାଟବଣା କରିଛନ୍ତି । ସମ୍ପୃକ୍ତ ସିଡି ଟି ସତ ନାଁ ମିଛ ଆଜି ସୁଦ୍ଧା କାହିଁକି ସ୍ପଷ୍ଟ ହେଲାନାହିଁ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୁକ୍ତଙ୍କୁ ଘଂଟ ଘୋଡାଇବା କାରଣରୁ ସ୍ପଷ୍ଟ ହୋଇନାହିଁ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ଠକ ଡାକ୍ତର ମୌତିଲାଲ୍ ଗୌଡଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ ମନ୍ତ୍ରୀ ଓ ଟାଣୁଆ ବିଧାୟକ ମାନଙ୍କର ସମ୍ପର୍କ ଓଡିଶାର ରାଜକୋଷକୁ ଲୁଟ୍ କଲା । ଏହା ପରେ ବି ଦୋଷୀ ନେତା, ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଦଣ୍ଡ ଦେବା ବଦଳରେ ଘଂଟ ଘୋଡାଉଛନ୍ତି, ଓଡିଶାବାସୀ ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା