Connect with us

ଅପରାଧ

ମାଜିଷ୍ଟ୍ରେଟ୍ ଓ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ, ମହାରଥି ଗିରଫ

ସାଙ୍କେତିକ

ମାଜିଷ୍ଟ୍ରେଟ୍ ଓ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ, ମହାରଥି ଗିରଫ
ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ -ଏସପି
ସମର୍ଥକଙ୍କ ଉଦ୍ଦେଶ୍ୟରେ ଭିଡ଼ିଓ ପୋଷ୍ଟ କଲେ ମହାରଥି
ପିପିଲି, ୨୨ ଅପ୍ରେଲ – ପିପିଲି ବିଧାୟକ ପ୍ରଦୀପ ମହାରଥିଙ୍କ ହୁଙ୍କେଇପୁରଠାରେ ଥିବା ଫାର୍ମ ହାଉସରେ ମଦ ଓ ଟଙ୍କା ବଂଟା ଯାଉଥିବା ଖବର ପାଇ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ଫ୍ଲାଇଙ୍ଗ ସ୍କ୍ୱାଡ୍, ପୋଲିସ ଟିମ୍ ସହିତ ମାଜିଷ୍ଟ୍ରେଟ ସେଠାରେ ଚଢ଼ଉ କରିଥିବା ବେଳେ ସେଠାରେ ତାଙ୍କୁ ଓ ଅନ୍ୟ ତିନି ଜଣଙ୍କୁ ଆକ୍ରମଣ ଅଭିଯୋଗ ହୋଇଥିଲା । ଘଟଣାରେ ପିପିଲି ଥାନା ପୋଲିସ ବିଧାୟକ ଶ୍ରୀ ମହାରଥିଙ୍କୁ ଗିରଫ କରିଛି ।
ଗତକାଲି ବିଳମ୍ବିତ ରାତିରେ ବିଧାୟକ ଶ୍ରୀ ମହାରଥିଙ୍କ ଫାର୍ମ ହାଉସରେ ମଦ ଓ ଟଙ୍କା ବଂଟା ଯାଉଥିବା ଖବର ପାଇ ଫ୍ଲାଇଙ୍ଗ ସ୍କ୍ୱାଡ୍ ସହିତ ମାଜିଷ୍ଟ୍ରେଟ୍ ଓ ପିପିଲି ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଂଚିଥିଲେ । ସେଠାରେ ଫ୍ଲାଇଙ୍ଗ ସ୍କ୍ୱାଡ୍ ର କ୍ୟାମେରାମ୍ୟାନଙ୍କୁ ଆକ୍ରମଣ କରିବା ସହିତ ଦୁର୍ବୃତ ମାନେ ତାଙ୍କର କ୍ୟାମେରା ଭାଙ୍ଗି ଦେଇଥିଲେ । ଆକ୍ରମଣରେ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ର, ତାଙ୍କ ଡ୍ରାଇଭର ଦୀପକ ଏବଂ ପିପିଲି ଥାନା ଏଏସଆଇ ବିଜୟ କୁମାର ଦାଶ ଆହତ ହୋଇଥିଲେ । ଏପରିକି ନିଜେ ପ୍ରଦୀପ ମହାରଥି ମାଜିଷ୍ଟ୍ରେଟ୍ ଙ୍କୁ ଗୋଡାଇ ଗୋଡାଇ ପିଟିଥିବା ଅଭିଯୋଗ ହୋଇଥିଲା । ଶ୍ରୀ ପାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଅନ୍ୟପକ୍ଷରେ ମାଜିଷ୍ଟ୍ରେଟ୍ ଙ୍କ ଅଭିଯୋଗକୁ ଭିତି କରି ପିପିଲି ଥାନା ପୋଲିସ ଭାରତୀୟ ପିଙ୍ଗଳ କୋଡ୍ ର ଦଫା ୩୦୭/୩୫୩/୩୪୧/୩୩୨/୧୪୭/୧୪୮/୧୪୯ ଏବଂ ଦଫା ୧୭୧(ବି)/୧୮୬ ଓ ଲୋକ ପ୍ରତିନିଧି ଆଇନ ୧୨୩ ଧାରା ବଳରେ ମାମଲା ରୁଜୁ କରାଯାଇଛି । ମାମଲାରେ ବିଧାୟକ ଶ୍ରୀ ମହାରଥିଙ୍କୁ ପୋଲିସ ଗିରଫ କରିଛି । ଯଥେଷ୍ଟ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି । ଅପରାହ୍ନରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି । ମାମଲାରେ ଆହୁରି ୧୦ରୁ ୧୫ ଜଣ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଖୁବ୍ ଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ । ଘଟଣାରେ ଏକ ମୋଟର ସାଇକେଲ ଓ ମହାରଥିଙ୍କ କାର୍ କୁ ପୋଲିସ ଜବତ କରିଛି । ଉତେଜନାକୁ ଦୃଷ୍ଟିରେ ରଖି ପିପିଲି ଥାନାକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଥାନା ଭିତରେ ଓ ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଥିବା ନେଇ ପୁରୀ ଜିଲ୍ଲା ଏସପି ଡଃ. ଉମାଶଙ୍କର ଦାଶ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସେହିପରି ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ପୋଷ୍ଟ କରି ମହାରଥି କହିଛନ୍ତି ଯେ, ଗତକାଲି ପିପିଲି ଅଂଚଳରେ ବର୍ଷା ପବନ ହୋଇଥିଲା । ଲାଇନ କଟିଥିବାରୁ ଚାରିଆଡେ ଅନ୍ଧକାର ଥିଲା । ବିଳମ୍ବିତ ରାତିରେ ଫ୍ଲାଇଙ୍ଗ ସ୍କ୍ୱାଡ୍ ଟିମ୍ ଫାର୍ମ ହାଉସ୍ ତାଲା ଭାଙ୍ଗି ଭିତରେ ପଶିଥିଲେ । ସେଠାରେ ଥିବା କର୍ମଚାରୀ ତାଙ୍କୁ ବିରୋଧ କରିବାରୁ ଠେଲା ପେଲା ଭଳି ସ୍ଥିତି ଉପୁଜିଥିଲା । ଯାହା ଆଜି ମୁଁ ବିଭିନ୍ନ ଗଣମାଧ୍ୟମରୁ ଜାଣିବାକୁ ପାଇଲି । ସେଥିପାଇଁ ମୁଁ ବହୁତ ଦୁଃଖିତ । ଏଥିରେ ମୁଁ କିମ୍ବା ମୋ ଦଳର କୌଣସି ସମ୍ପୃକ୍ତି ନାହିଁ ବୋଲି ସେ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ