Connect with us

ଦେଶ

ବିମୁଦ୍ରାକରଣକୁ ପୂରିଲା ୨ ବର୍ଷ

ସାଙ୍କେତିକ ଚିତ୍ର

ବିମୁଦ୍ରାକରଣକୁ ପୂରିଲା ୨ ବର୍ଷ
ନୂଆଦିଲ୍ଲୀ,୮ା୧୧ : ନରେନ୍ଦ୍ର ମୋଦି ସରକାରଙ୍କ ବହୁଚର୍ଚ୍ଚିତ ବିମୁଦ୍ରାକରଣକୁ ଦୁଇବର୍ଷ ପୁରିଛି । ୨୦୧୬ ନଭେମ୍ବର ୮ ତାରିଖ ରାତିରେ ହଠାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଥିଲେ । ଗୁରୁବାର ଏହି ଘୋଷଣାକୁ ଦୁଇବର୍ଷ ପୁରିଥିବା ବେଳେ ଏହାକୁ ନେଇ ରାଜନୀତି ଆଜି ବି ଉଷ୍ମ ରହିଛି । ଅପରପକ୍ଷରେ ବିମୁଦ୍ରାକରଣ ଯୋଗୁଁ ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଥିବା ବିରୋଧୀ ଅଭିଯୋଗ କରି ଆସୁଛନ୍ତି । ଦୁଇବର୍ଷ ପରେ ମଧ୍ୟ ବିମୁଦ୍ରାକରଣକୁ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଛି ।

ବିମୁଦ୍ରାକରଣର ଦୁଇବର୍ଷ ପୂର୍ତ୍ତି ଅବସରରେ ଫେସବୁକ ବ୍ଲଗରେ ଶ୍ରୀ ଜେଟଲି କହିଛନ୍ତି ଯେ, ବିମୁଦ୍ରାକରଣ ଯୋଗୁଁ ଭାରତୀୟ ଅର୍ଥନୀତିକୁ ବାଟକୁ ଆସିଛି । ବିଦେଶରେ ଗଚ୍ଛିତ ଓ ଟିକସ ଖିଲାପକାରୀଙ୍କ ଠାରୁ କଳାଧନକୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ଏହି ଯୋଜନା କରାଯାଇଥିଲା । କଳାଧନ ସଂକ୍ରାନ୍ତରେ ଘୋଷଣା କରି ଅନେକ ଖିଲାପୀ ଟିକସ ଦେଇ ଦଣ୍ଡରୁ ମୁକ୍ତି ପାଇଥିଲେ । ଯେଉଁମାନେ କଳାଧନ ସଂକ୍ରାନ୍ତରେ ଘୋଷଣା କରିନଥିଲେ ସେମାନଙ୍କୁ କଳାଧନ ନିରୋଧ ଆଇନ ଅନୁଯାୟୀ ଦଣ୍ଡିତ କରାଯାଇଛି ।

ବିମୁଦ୍ରାକରଣ ନୀତିକୁ ସମାଲୋଚନା କରି ଡ.ମନମୋହନ ସିଂହ କହିଛନ୍ତି ଯେ, ଏହା ଏକ ଦୁର୍ବଳ ଚିନ୍ତାଧାରା ଥିଲା । ଏ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଶବାସୀ ଦେଖିବାକୁ ପାଇଲେ ନାହିଁ । ବିମୁଦ୍ରାକରଣ ଯୋଗୁଁ ଲୋକମାନେ ଯେଉଁ କଷ୍ଟ ଭୋଗିଥିଲେ ତାହା ଆଜି ମଧ୍ୟ ମନରୁ ଲିଭିନାହିଁ । ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହୋଇଥିଲେ । ସମୟ ସହିତ କ୍ଷତଭରଣା ହୋଇଯାଏ ବୋଲି କୁହାଯାଏ । ମାତ୍ର ବିମୁଦ୍ରାକରଣର କ୍ଷତ ସମୟ ସହିତ ଆହୁରି ସ୍ପଷ୍ଟ ହେବାରେ ଲାଗିଛି । ଅଭିବୃଦ୍ଧି ବ୍ୟାହତ ହୋଇଛି । ନିଯୁକ୍ତି ହାର କମିଛି । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଏ ପର୍ଯ୍ୟନ୍ତ ବିମୁଦ୍ରାକରଣର ଝଟକାରୁ ବର୍ତ୍ତି ପାରି ନାହାନ୍ତି । ଅର୍ଥନୀତି ପ୍ରଭାବିତ ହୋଇଛି । ତେଣୁ ଆଜିର ଦିନରେ ସେହି ସବୁ ବିଷୟକୁ ସ୍ମରଣ କରିବାର ବେଳ ଆସିଛି । ଦୀର୍ଘକାଳୀନ ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାର ସୁଦୂରପ୍ରସାରୀ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଡ. ସିଂହ ଆହ୍ୱାନ ଦେଇଛନ୍ତି ।

କଂଗ୍ରେସ ପକ୍ଷରୁ ନଭେମ୍ବର ୮ ତାରିଖକୁ କଳା ଦିବସ ଭାବେ ପାଳନ କରି ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଇଛି । କେନ୍ଦ୍ର ସରକାର ବିମୁଦ୍ରାକରଣ ଜରିଆରେ ଲୋକମାନଙ୍କୁ ଠକିଛନ୍ତି ଓ ଲୋକମାନେ ତାହାର ଜବାବ ଦେବେ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ