Connect with us

ଆମ ଖବର

ବାତ୍ୟା ‘ତିତଲି ର ଘନତ୍ଵ ଓ ଆୟତନରେ ବୃଦ୍ଧି ଘଟୁଛି

ସାଙ୍କେତିକ ଚିତ୍ର


ଭୁବନେଶ୍ୱର:-୯ା୧୦ : ଓଡ଼ିଶାକୁ ମୁହାଉଥିବା ବାତ୍ୟା ‘ତିତଲି’ ଧିରେ ଧିରେ ଉଗ୍ରରୂପ ଧାରଣ କରୁଛି । ଗଭୀର ଅବପାତରୁ କ୍ରମେ ଏହା ବାତ୍ୟା ରୂପେ ନେଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ବାତ୍ୟା ଭୟଙ୍କର ବା ସିଭିୟର ସାଇକ୍ଲୋନିକରେ ପରିଣତ ହେବ । ଏବେ ‘ତିତଲି’ ଗୋପାଳପୁରଠାରୁ ୫୩୦ କିଲୋମିଟର ଦୂରରେ ରହିଥିବା ନୂଆଦିଲ୍ଲୀ ସ୍ଥିତ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କଳିଙ୍ଗପଟ୍ଟନମ ଏବଂ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବା ବେଳକୁ ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବ । ପବନର ବେଗ ଅଧିକତର ୧୨୫ କିଲୋମିଟର ପର୍ଯ୍ୟନ୍ତ ଛୁଇଁବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପାଣିପାଗ ବିଭାଗର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ ବାତ୍ୟା ‘ତିତଲି’ ପ୍ରଭାବରେ ରାଜ୍ୟରେ ଆଜି ରାତିରୁ ବର୍ଷା ଆରମ୍ଭ ହୋଇଯିବ । ଆସନ୍ତା ୧୦ ଏବଂ ୧୧ ତାରିଖରେ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ । କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସ୍ଥଳଭାଗ ଛୁଇଁବା ବେଳେ ପବନ ୧୦୦ରୁ ୧୨୫ କିଲୋମିଟରରେ ବହିବାର ସମ୍ଭାବନା ରହିଛି । ପବନରେ ଗଛ ଭାଙ୍ଗିବା ସହ ବିଦ୍ୟୁତ୍ ଓ ଟେଲିଫୋନ ଖୁଣ୍ଟ ଉପୁଡିଯିବାର ସମ୍ଭାବନା ରହିଛି । ବାତ୍ୟା ଯୋଗୁଁ ସମୁଦ୍ରରେ ଅଧମିଟର ପର୍ଯ୍ୟନ୍ତ ଜୁଆର ମାଡିଆସିପାରେ । ଚାଷ ଜମିରେ ବ୍ୟାପକ କ୍ଷୟକ୍ଷତି ଘଟିବ ବୋଲି ସେ କହିଛନ୍ତି । ଅନ୍ୟପଟେ ରାଜ୍ୟର ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଏହା ପରଦିନ ଅର୍ଥାତ ଗୁରୁବାର ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ । ୧୧ ତାରିଖରେ ଗଜପତି, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କଟକ, ପୁରୀ, ଯାଜପୁର, ଢ଼େଙ୍କାନାଳ, ଭଦ୍ରକ, ବାଲେଶ୍ୱର, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ୧୭ଟି ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ନୋଟିସ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଓଡ଼ିଶା ଆଡକୁ ମୁହାଁଇଥିବା ବାତ୍ୟା ‘ତିତଲି’ର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନମାନଙ୍କୁ ଏବଂ ଆଶ୍ରୟସ୍ଥଳୀର ସୁପର ଭାଇଜରମାନଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି । ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତର କରିବା ଓ ରିଲିଫ୍ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ମୋଟ ୮୭୯ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ରହିଛି ବୋଲି ଯୁଗ୍ମ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଭାତ ମହାପାତ୍ର ସୂଚନା ଦେଇଛନ୍ତି । ଉଦ୍ଧାର କାର୍ଯ୍ୟ ଲାଗି ୩୦୦ ବୋଟ୍ ରଖାଯାଇଛି । ବାତ୍ୟାର ମୁକାବିଲା ପାଇଁ ଉତ୍ତର ଓଡ଼ିଶାକୁ ଏନ୍ଡିଆର୍ଏଫ୍ ଟିମ୍ ପଠାଯାଇଛି । ଅଗ୍ନିଶମ ସଂସ୍ଥା କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଅଗ୍ନିଶମ ସଂସ୍ଥାରେ ଆବଶ୍ୟକ ଉପକରଣ ଓ ଯନ୍ତ୍ରପାତି ମହଜୁଦ ରଖିବାକୁ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର