Connect with us

ଓଡିଶା

ଫେବୃଆରୀ ୪ରୁ ବିଧାନସଭା , ୭ରେ ବଜେଟ୍

ସାଙ୍କେତିକ

ଫେବୃଆରୀ ୪ରୁ ବିଧାନସଭା , ୭ରେ ବଜେଟ୍
– ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ
ଭୁବନେଶ୍ୱର ଆସନ୍ତା ଫେବୃଆରୀ ୪ ତାରିଖରୁ ଓଡିଶା ବିଧାନସଭାର ସ୍ୱଳ୍ପକାଳୀନ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୭ଟି କାର୍ଯ୍ୟକାରୀ ଦିବସ ରହିଛି । ଫେବୃଆରୀ ୪ ,୫ ,୬ , ୭ , ୮ ଏବଂ ୧୧ ଓ ୧୨ ତାରିଖ ଦିନ ବୈଠକ ବସିବ । ୯ ଓ ୧୦ ତାରିଖ ଦ୍ୱିତୀୟ ଶନିବାର ଓ ରବିବାର ପାଇଁ ଗୃହର ବୈଠକ ବସିବ ନାହିଁ ।
ଏହି ଅଧିବେଶନ କାଳରେ ୭ ତାରିଖ ଦିନ ରାଜ୍ୟ ଅର୍ଥମନ୍ତ୍ରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍ ସମେତ ୪ ମାସିଆ ଲେଖା ଅନୁଦାନ (ଭୋଟ୍ – ଅନ୍ -ଆକାଉଂଟ) ଉପସ୍ଥାପନ କରିବେ । ଏସମ୍ପର୍କରେ ରାଜଭବନ ସଚିବାଳୟ ପକ୍ଷରୁ ମଙ୍ଗଳବାର ସମନ ଜାରୀ କରାଯାଇଛି । ସମନ ଜାରୀ ହେବା ପରେ ଅଧିବେଶନର ବୈଠକ ସମ୍ପର୍କରେ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଧିବେଶନର ପ୍ରଥମ ଦିନରେ ଅଭିଭାଷଣ ପ୍ରଦାନ କରିବେ । ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଧନ୍ୟବାଦ ପ୍ରସ୍ତାବ ଆଗତ କରିବେ । ଫେବୃଆରୀ ୫ ଓ ୬ ତାରିଖ ଏହି ଅଭିଭାଷଣ ଉପରେ ଆଲୋଚନା କରାଯିବ । ୭ ତାରିଖରେ ରାଜ୍ୟ ଅର୍ଥ ଓ କୃଷି ମନ୍ତ୍ରୀ ଶଶି ଭୂଷଣ ବେହେରା ୨୦୧୯-୨୦ ଆର୍ଥିକବର୍ଷ ନିମନ୍ତେ ବଜେଟ୍ ଉପସ୍ଥାପନ କରିବେ । ୮ ତାରିଖ ଦିନ ଲେଖା ଅନୁଦାନ ଉପରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା ବିନିୟୋଗ ବିଲ୍ ଆଗତ କରିବେ । ୧୧ ତାରିଖ ସରକାରୀ କାର୍ଯ୍ୟଦିବସ ରହିଥିବା ବେଳେ ୧୨ ତାରିଖ ବେସରକାରୀ କାର୍ଯ୍ୟ ଦିବସ ରଖାଯଇଛି । ଉକ୍ତ ଦିନ ବେସରକାରୀ ବିଲ୍ ଓ ସଂକଳ୍ପ ଉପରେ ଆଲୋଚନା କରାଯିବ ।
ଅନ୍ୟପକ୍ଷରେ କେଉଁ ଦିନ କେଉଁ ବିଭାଗର ଆଲୋଚନା ହେବ ସେଥିନେଇ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଫେବୃଆରୀ ୬ ତାରିଖଠାରୁ ବିଭାଗୀୟ ପ୍ରଶ୍ନୋତର କାର୍ଯ୍ୟକ୍ରମ ଆରମ୍ଭ ହେବ । ସେଦିନ ଖାଦ୍ୟ ଯୋଗାଣ , ଖାଉଟି କଲ୍ୟାଣ , ଜଙ୍ଗଲ ଓ ପରିବେଶ , ଶକ୍ତି , ପର୍ଯ୍ୟଟନ , ଯୋଜନା ଓ ସଂଯୋଜନା ,ସମବାୟ , ଶ୍ରମ , କର୍ମଚାରୀ ଓ ରାଜ୍ୟ ବୀମା , ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି , ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଜନିତ ପ୍ରଶ୍ନ ଉପରେ ଆଲୋଚନା କରାଯିବ । ୭ ତାରିଖ ଦିନ ବିଦ୍ୟାଳୟ ଓ ଗଣଶିକ୍ଷା , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଉଚ୍ଚଶିକ୍ଷା , ବୟନଶିଳ୍ପ ,ବିଜ୍ଞାନ ଓ କାରିଗରୀ ,ଆଇନ୍ , ଶିଳ୍ପ , ସୂଚନା ଓ ଲୋକସମ୍ପର୍କ ବିଭାଗୀୟ ପ୍ରଶ୍ନ ଉପରେ ଆଲୋଚନା ହେବ । ୮ ତାରିଖ ଦିନ ମହିଳା ଓ ଶିଶୁ ବିକାଶ , ମିଶନ ଶକ୍ତି , ବାଣିଜ୍ୟ , କ୍ରୀଡା ଓ ଯୁବ ବ୍ୟାପାର , ସୂକ୍ଷ୍ମ , କ୍ଷୂଦ୍ର ଓ ମଧ୍ୟମ ଉଦ୍ୟୋଗ , ପରିବହନ , ଆଇଟି , ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ , ୧୧ ତାରିଖରେ ସ୍ୱରାଷ୍ଟ୍ର , ଅର୍ଥ ,ରାଜସ୍ୱ ବିପର୍ଯ୍ୟୟ ପରିଚାଳନା , ନିର୍ମାଣ , କୃଷି ଓ କୃଷକ ସଶକ୍ତିକରଣ , ଇସ୍ପାତଓ ଖଣି , ଅବକାରୀ , ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯାଗ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଉପରେ ଆଲୋଚନା କରାଯିବ । ୫ଓ ୧୨ ତାରିଖ ଜଳସମ୍ପଦ , ପଂଚାୟତିରାଜ ଓ ପାନୀୟ ଜଳ , ଗ୍ରାମ୍ୟ ଉନ୍ନୟନ , ଗୃହ ନିର୍ମାଣ ଓ ପୌର ଉନ୍ନୟନ , ସଂସଦୀୟ ବ୍ୟାପାର , ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଓ ପଛୁଆବର୍ଗ କଲ୍ୟାଣ ଏବହ ସରକାରୀ ଉଦ୍ୟୋଗ ଆଦି ବିଷୟରେ ଉପରେ ଆଲୋଚନା କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା