Connect with us

ଅପରାଧ

ଦ୍ୱିତୀୟ ଦିନରେ ଟ୍ରେଡ୍ ୟୁନିୟନର ଧର୍ମଘଟ

ସାଙ୍କେତିକ

ଦ୍ୱିତୀୟ ଦିନରେ ଟ୍ରେଡ୍ ୟୁନିୟନର ଧର୍ମଘଟ
ଭୁବନେଶ୍ୱର,୯ା୧ : ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦିଅ।ଯାଇଥିବା ଧର୍ମଘଟ ଡାକରାର ପ୍ରଭାବ ଦ୍ୱିତୀୟ ଦିନରେ ମଧ୍ୟ ଦେଖିବାକୁ ମିଳିଛି । ଧର୍ମଘଟ ଯୋଗୁଁ ରାଜ୍ୟର ଅଧିକାଂଶ ଅଂଚଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଗତକାଲି ଦିନତମାମ ବସ୍, ଟ୍ରକ୍ ,ଅଟୋ ସେବା ବନ୍ଦ ରହିଥିବା ବେଳେ ବୁଧବାର ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ବସ୍ ଷ୍ଟାଣ୍ଡରେ ବସ୍ ଗୁଡିକ ଅଟକି ରହିଥିଲା । ବିଭିନ୍ନ ରେଲୱେ ଷ୍ଟେସନରେ ଟ୍ରେନ୍ ଗୁଡିକ ଅଟକି ରହିଥିବା ଯୋଗୁଁ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ । ଦୋକାନବଜାର ମଧ୍ୟ ବନ୍ଦ ରହିଥିଲା । ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବାରୁ ମୁଖ୍ୟ ରାସ୍ତାଗୁଡ଼ିକରେ ଗାଡ଼ିମୋଟର ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ତେବେ ମଧ୍ୟାହ୍ନ ପରେ ଅଟୋ ଓ ୪ ଚକିଆ ଯାନ ଚଳାଚଳ କରିଥିଲେ ।

ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ଘୋଷଣା ଅନୁଯାୟୀ ବିଭିନ୍ନ ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ ରହିଥିଲା । କେତେକବ୍ୟାଙ୍କ୍ , ସିନେମା ହଲ୍ ,ପେଟ୍ରୋଲ ପମ୍ପ୍ ଗୁଡିକ ମଧ୍ୟ ପ୍ରଥମ ଦିନ ଭଳି ବନ୍ଦ ରହିଥିଲା । ୧୨ ଦଫା ଦାବି ନେଇ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ମଙ୍ଗଳବାର ଓ ବୁଧବାର ଅନୁଷ୍ଠିତ ଏହି ଧର୍ମଘଟକୁ ବିଜେପି ବାଦ୍ ଅନ୍ୟ ସମସ୍ତ ପ୍ରମୁଖ ରାଜନେତିକ ଦଳ ସମର୍ଥନ କରିଛନ୍ତି । ଧର୍ମଘଟର ଦ୍ୱିତୀୟ ଦିନରେ ବାଲେଶ୍ୱର ଷ୍ଟେସନରେ ଆନ୍ଦୋଳନକାରୀମାନେ ରେଳରୋକ କରିଥିଲେ । ଫଳରେ ସେଠାରେ ପୁରୀ-ହାୱଡ଼ା ପାସେଞ୍ଜର ଓ ବାରିପଦା ଫାଷ୍ଟ ପାସେଞ୍ଜର ଟ୍ରେନ୍ ଅଟକି ରହିଥିଲା ।

ସେହିପରି ବ୍ରହ୍ମପୁର ଠାରେ ପଲାସା-ପୁରୀ ଟ୍ରେନ୍ ଅଟକି ରହିଥିବା ବେଳେ ଭଦ୍ରକରେ ଜାତୀୟ ରାଜପଥ ଅବରୋଧ ଯୋଗୁଁ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଏପରିକି ଭଦ୍ରକରେ ଦୋକାନବଜାର ମଧ୍ୟ ବନ୍ଦ ରହିଥିଲା । ଅପରପକ୍ଷରେ କଟକ ବାଦାମବାଡ଼ିରୁ ସରକାରୀ ଓ ଘରୋଇ ବସ ସେବା ବନ୍ଦ ରହିଥିବାରୁ ଶହଶହ ଯାତ୍ରୀ ଆଜି ମଧ୍ୟ ହଇରାଣ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ