Connect with us

ଦେଶ

ଦେଶବ୍ୟାପୀ ପୋଲିଂ ଷ୍ଟେସନ ପାଇଁ ଇଭିଏମ୍ ଓ ଭିଭିପାଟ୍ ପ୍ରସ୍ତୁତି କାର୍ଯ୍ୟ ଜାରି

ସାଙ୍କେତିକ ଚିତ୍ର

ଦେଶବ୍ୟାପୀ ପୋଲିଂ ଷ୍ଟେସନ ପାଇଁ ଇଭିଏମ୍ ଓ ଭିଭିପାଟ୍ ପ୍ରସ୍ତୁତି କାର୍ଯ୍ୟ ଜାରି
ଭୁବନେଶ୍ୱର:- ସାଧାରଣ ନିର୍ବାଚନ ପୂର୍ବରୁ ଯେପରି ଦେଶବ୍ୟାପୀ ସମସ୍ତ ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଇଭିଏମ୍ ଏବଂ ଭିଭିପାଟ୍ ଠିକ୍ ସମୟରେ ପହଂଚି ପାରିବ ସେ ଦିଗରେ ଭାରତର ନିର୍ବାଚନ କମିଶନ ଉଦ୍ୟମ ଜାରି ରଖିଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରାୟ ୧୦.୬ ପୋଲିଂ ଷ୍ଟେସନରେ ଆବଶ୍ୟକତା ଅନୁଯାୟୀ ଶତ ପ୍ରତିଶତ ଭିଭିପାଟ ଉପଲବ୍ଧ ପାଇଁ ଜିଲ୍ଲା ଅଫିସରମାନେ ନିଶ୍ଚିତ ହେବା ସହ ପ୍ରଥମ ପର୍ଯ୍ୟାୟ ତଦାରଖ ଓ ପ୍ରଶିକ୍ଷଣ କାର୍ଯ୍ୟ ମଧ୍ୟ ଜାରି ରହିଛି । ଇଭିଏମ୍ ଓ ଭିଭିପାଟ ଉତ୍ପାଦନ ଏବଂ ଯୋଗାଣ ନେଇ ସ୍ଥିତି ବାବଦରେ ନିର୍ବାଚନ କମିଶନ ନିୟମିତ ରାଷ୍ଟ୍ରାୟତ ଉଦ୍ୟୋଗ (ପିଏସୟୁ) ଗୁଡ଼ିକର ସିଏମଡି ମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ୨୦୧୯ ନିର୍ବାଚନରେ ପ୍ରାୟ ୨୨.୩ ଲକ୍ଷ ବାଲଟ ୟୁନିଟ, ୧୬.୩ ଲକ୍ଷ କଂଟ୍ରୋଲ ୟୁନିଟ, ୧୭.୩ ଲକ୍ଷ ଭିଭିପାଟ ବ୍ୟବହାର କରାଯିବ । ଏଥିରେ ପ୍ରଶିକ୍ଷଣ ଏବଂ ଆବଶ୍ୟକ ସ୍ଥଳରେ ବଦଳ କରିବାକୁ ଥିବା ମେସିନ ମଧ୍ୟ ଅନ୍ତର୍ଭୁକ୍ତ ।
ଇଭିଏମ୍ ଭିଭିପାଟ ଇନଭେଂଟୋରି ଜରିଆରେ ମେସିନ ଗୁଡ଼ିକୁ ନିର୍ବାଚନ ଦିନ ପର୍ଯ୍ୟନ୍ତ ଟ୍ରାକିଂ ମଧ୍ୟ ସମ୍ଭବ । ଆସନ୍ତା ଦିନରେ ହେବାକୁ ଥିବା ଆଜମେର, ଇନ୍ଦୋର, ଦୁର୍ଗ, ଆଇଜଲ ଏବଂ ମେହବୁବନଗର ବିଧାନସଭା ନିର୍ବାଚନରେ ବ୍ୟବହାର ଅନୁକୂଳ ଇଭିଏମ୍ ମ୍ୟାନେଜମେଂଟ ସଫ୍ଟୱେର ବ୍ୟବହାର କରାଯିବ ।
୨୦୦୦ ମସିହା ପରଠାରୁ ଏ ପର୍ଯ୍ୟନ୍ତ ୩ଟି ଲୋକସଭା ନିର୍ବାଚନ ଏବଂ ୧୧୩ ଥର ରାଜ୍ୟ ବିଧାନସଭା ଭୋଟରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବ୍ୟବହାର ହୋଇଛି । ଇଭିଏମ୍ ବ୍ୟବହାର ଯୋଗୁ ବୁଥ୍ ଜବରଦଖଲ ଏବଂ ଭୋଟ ଗଣତିରେ ବାଲଟ ପେପର ବ୍ୟବହାରରେ ହେଉଥିବା ତ୍ରୁଟି ଓ ବିଳମ୍ବ ପ୍ରକ୍ରିୟା ଦୂର ହୋଇପାରିଥିଲା । ବାଲଟ ପେପର ବ୍ୟବହାର ଦ୍ୱାରା ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ବହୁ ସଂଖ୍ୟକ ଭୋଟ ମଧ୍ୟ ଅସିଦ୍ଧ ହୋଇ ଯାଉଥିଲା । ଏପରିକି କେତେକ ନିର୍ବାଚନରେ ପ୍ରାର୍ଥୀଙ୍କ ବିଜୟ ଭୋଟର ସଂଖ୍ୟାଠାରୁ ଅଧିକ ଭୋଟ ଅସିଦ୍ଧ ହେଉଥିଲା ।
ଇଭିଏମ୍ରେ ଏବେ ଭୋଟର ଭେରିଫାଏବଲ ପେପର ଅଡିଟ ଟ୍ରେଲ (ଭିଭିପାଟ୍) ସଂଯୁକ୍ତ ହେବା ପରେ ଏହା ଉପରେ ଭୋଟରଙ୍କ ବିଶ୍ୱାସ ସୁଦୃଢ଼ ହେବା ସହ ଭୋଟିଂ ପ୍ରକ୍ରିୟାରେ ସ୍ୱୁଚ୍ଛତା ବୃଦ୍ଧି ପାଇଛି । ଇଭିଏମ୍ରେ ସଂଯୁକ୍ତ ହୋଇଥିବା ଏକ ସ୍ୱାଧୀନ ପ୍ରିଂଟ ପଦ୍ଧତିକୁ ଭିଭିପାଟ କୁହାଯାଏ, ଯାହାଦ୍ୱାରା କି ଭୋଟର କାହାକୁ ଭୋଟ ଦେଇଛନ୍ତି ସେ ବାବଦରେ ଅବଗତ ହୋଇପାରିବେ । ଭିଭିପାଟର ସ୍ୱଚ୍ଛ ସ୍କ୍ରିନରେ ୭ ସେକେଣ୍ଡ ପାଇଁ ଭୋଟର ଦେଖିପାରିବେ ଭିଭିପାଟ ସ୍ଲିପ୍ ଜରିଆରେ ତାଙ୍କ ଭୋଟ କାହା ସପକ୍ଷରେ ଯାଇଛି । ଏହାପରେ ସ୍ଲିପ୍ ମେସିନରେ ନିମ୍ନରେ ଥିବା ବକ୍ସରେ ସୁରକ୍ଷିତ ରହିଯିବ । ଭିଭିପାଟରେ ବ୍ୟବହାର କରାଯାଉଥିବା ସ୍ଲିପ୍ ଥର୍ମାଲ୍ କାଗଜ ପାଂଚ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରିବ, ଯାହାକି ଆବଶ୍ୟକ ସ୍ଥଳରେ ଦୈବାତ୍ ବିବାଦ ଉପୁଜିଲେ କୋର୍ଟଙ୍କ ନିର୍ଦ୍ଦେଶରେ ପୁନଃ ଗଣତି ହୋଇପାରିବ । ୧୮ଟି ଲୋକସଭା କ୍ଷେତ୍ରର ୯୩୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭିଭିପାଟର ପରୀକ୍ଷାମୂଳକ ବ୍ୟବହାର ସଫଳ ହୋଇପାରିଛି । ଗୋଆ, ହିମାଚଳ ପ୍ରଦେଶ, ଗୁଜରାଟ, ମେଘାଳୟ, ନାଗାଲାଣ୍ଡ, ତ୍ରିପୁରା ଏବଂ କର୍ଣ୍ଣାଟକ ଆଦି ୭ଟି ରାଜ୍ୟରେ ୨୦୧୭-୧୮ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସମସ୍ତ ବୁଥରେ ଭିଭିପାଟ ବ୍ୟବହାର କରାଯାଇଥିଲା । ୨୦୧୭ ଡିସେମ୍ବର ପରଠାରୁ ନିର୍ବାଚନ କମିଶନ ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ଏହାକୁ ବ୍ୟବହାର କରିଛନ୍ତି । ୮୭୩ଟି ଭିଭିପାଟରୁ ବାହାରିଥିବା ସ୍ଲିପ ଗୁଡ଼ିକୁ ଗଣତି ପରେ ତାହା ଇଭିଏମର ହିସାବ ସହ ସମାନ ଥିବା ଜଣାପଡ଼ିଛି ।
ନିର୍ବାଚନ କମିଶନ ବ୍ୟବହାର କରୁଥିବା ଇଭିଏମ୍ ଓ ଭିଭିପାଟ ଗୁଡ଼ିକ କେବଳ ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ (ଇସିଆଇଏଲ୍) ଏବଂ ଭାରତ ଇଲୋକ୍ଟ୍ରାନିକ୍ସ ଲିମିଟେଡ୍ (ବିଇଏଲ୍) ଦ୍ୱାରା ସ୍ୱତନ୍ତ୍ର ଟେକ୍ନିକାଲ ବିଶେଷଜ୍ଞମାନଙ୍କ ତଦାରଖରେ ନିର୍ମିତ ଏବଂ ଏଥିରେ କିଛି ବେନିୟମ କାର୍ଯ୍ୟ ସମ୍ଭବ ନୁହେଁ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ