Connect with us

ଓଡିଶା

ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ l

ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ l

ଦଳ ବିରୋଧୀ ମନ୍ତବ୍ୟ ମହଙ୍ଗା ପଡିଲା
ଦାମ ବିଜେଡିରୁ ବହିଷ୍କୃତ
ଭୁବନେଶ୍ୱର,୧୨ା୯ : ଶେଷରେ ଦଳରୁ ବହିଷ୍କାର ହୋଇଛନ୍ତି ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ । ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଖୁଲାସା କରି ରାଜ୍ୟ ସରକାରଙ୍କୁ ତଥା ବିଜେଡିକୁ ଅଡୁଆରେ ପକାଉଥିବା ଦାମୋଦର ରାଉତଙ୍କୁ ବହିଷ୍କୃତ କରିଛନ୍ତି ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି । ଦାମଙ୍କ ଅଭିଯୋଗ ତାଙ୍କ ପାଇଁ କାଳ ସଦୃଶ ହୋଇଛି । ଦୀର୍ଘଦିନ ଧରି ବିଜେଡିରେ ରହିବା ପରେ ତାଙ୍କୁ ବହିଷ୍କାର କରାଯାଇଛି । ଏହାପୂର୍ବରୁ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଦେଇ ମନ୍ତ୍ରୀ ପଦରୁ ବିଦା ହୋଇଥିଲେ । କେବଳ ଏତିକି ନୁହେଁ ତାଙ୍କୁ ଦଳର ଉପସଭାପତି ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପଦରୁ ମଧ୍ୟ ହଟାଯାଇଥିଲା । କିନ୍ତୁ ଏବେ ଓମଫେଡ୍ ଦୁର୍ନୀତି, ସମବାୟ ବ୍ୟାଙ୍କ ଘୋଟାଲା ଓ ଚାରା ଘୋଟଲାକୁ ନେଇ ଖୁଲାସା କରିବା ତାଙ୍କ ପାଇଁ ମହଙ୍ଗା ପଡିଛି ।

ବିଗତ ଦିନରେ ସେ ସରକାର, ମନ୍ତ୍ରୀ ଓ ଅଫିସର ବିରୋଧରେ ଦୁର୍ନୀତି ଅଭିଯୋଗ ନେଇ ସରକାର ତଥା ଦଳକୁ ହରଡଘଣାରେ ପକାଉଥିଲେ । ଏପରିକି ରୋକଠୋକ ଶବ୍ଦରେ ଦଳୀୟ ନେତାଙ୍କୁ ସମାଲୋଚନା କରି ଆହ୍ୱାନ ଦେଇଥିଲେ । ଦାମଙ୍କ ଏତାଦୃଶ୍ୟ ଦଳ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲା । ଖାସକରି ନିଜ ଜିଲ୍ଲାର ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କୁ ସେ ଜୋରଦାର ହମଲା କରୁଥିଲେ । କେବେ ତୃତୀୟ ମହଲାର ଅଫିସର ତ କେବେ ମନ୍ତ୍ରୀଙ୍କୁ ନେଇ କରୁଥିବା ଦୁର୍ନୀତିର ଖୁଲାସା ଦଳକୁ ଅଣନିଶ୍ୱାସୀ କରିପକାଇଥିଲା ।

ଏହି କ୍ରମରେ ସେ ଦଳ ପାଇଁ ଏକପ୍ରକାର କଣ୍ଟା ସାଜିବା ସହ ବିରୋଧୀ ଦଳର ହାତବାରିଷୀ ସାଜିଥିଲେ । ତାଙ୍କର ବୟାନକୁ ନେଇ ବିରୋଧୀ ସରକାରଙ୍କ ଉପରେ ଭାରି ପଡିଥିଲା । ଶେଷରେ ଦାମଙ୍କ ତୁଣ୍ଡ ବନ୍ଦ କରିବା ଏବଂ ତାଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦଳୀୟ ନେତା ଅଣ୍ଟା ଭିଡିଥିଲେ । ଦାମଙ୍କୁ କେମିତି ଦଳରୁ ବହିଷ୍କାର କରାଯିବ ତା’ର ନେତୃତ୍ୱ ନେଇଥିଲେ ବିଷ୍ଣୁ ଦାସ । ଗତ ଦୁଇଦିନ ମଧ୍ୟରେ ବିଷ୍ଣୁ ଦାସ ଓ ବିଧାୟକ ପ୍ରଶାନ୍ତ ମୁଦୁଲି ଦଳ ସଭାପତିଙ୍କ ନିକଟରେ ଫେରାଦ ହୋଇ ଦାମଙ୍କୁ ଦଳରୁ ବହିଷ୍କାର ପାଇଁ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଅଭିଯୋଗ ସତ ହେଲେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିଲେ । ଏହାପରେ ଦାମଙ୍କୁ ଦଳରୁ ବହିଷ୍କାର ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା ।

ଶେଷରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦାମଙ୍କୁ ବହିଷ୍କାର ପାଇଁ ହେଉଥିବା ଦାବି ଉପରେ ମୋହର ମାରିଥିଲେ । ଅନ୍ତିମ ପର୍ଯ୍ୟାୟରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦାମକୁ ବହିଷ୍କାର ପାଇଁ ଆଦେଶ ଦେଇଥିଲେ । ଅନ୍ୟପଟେ ଦାମଙ୍କ ବହିଷ୍କାରରେ ଚର୍ଚ୍ଚା ଉଠିଛି ଗଡ ଫାଦରର । କଂଗ୍ରେସ ପକ୍ଷରୁ ଏହି ଅଭିଯୋଗ ଆସିଛି ।

କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମା ଦାମଙ୍କ ବହିଷ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ନାଁ ନେଇଛନ୍ତି । ଦାମଙ୍କ ବହିଷ୍କାର ପଛରେ ଗଡଫାଦର ତଥା ପାଣ୍ଡିଆନଙ୍କ ଭୂମିକା ରହିଥିବା ସେ ପ୍ରକାଶ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା