Connect with us

ଆଞ୍ଚଳିକ

ଚାଷୀଙ୍କ କେତେ ଜମି ଶିଳ୍ପ ହାତରେ ଦେଇଛନ୍ତି ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ମୁଖ୍ୟମନ୍ତ୍ରୀ: ବିଜେପି

ସାଙ୍କେତିକ ଚିତ୍ର

ଶିଳ୍ପ ସଂସ୍ଥାମାନଙ୍କୁ ଅହେତୁକ ଅନୁକମ୍ପା ପ୍ରସଙ୍ଗ
ରାଜ୍ୟସରକାର କେତେ ଜମି ଚାଷୀଙ୍କଠୁ ଛଡାଇ ଆଣି ଶିଳ୍ପ ହାତରେ ଦେଇଛନ୍ତି ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ମୁଖ୍ୟମନ୍ତ୍ରୀ: ବିଜେପି
ଭୁବନେଶ୍ୱର,୯ା୧୧ : ନବୀନ ସରକାର ଅତୀତରେ ଶିଳ୍ପ ସଂସ୍ଥାମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଚାଷୀମାନଙ୍କୁଠାରୁ ହଜାର ହଜାର ଏକର ଉର୍ବର ଓ ଜଳସେଚିତ ଜମି ନେଇ ଶିଳ୍ପସଂସ୍ଥାମାନଙ୍କ ହାତକୁ ଟେକି ଦେଇଛନ୍ତି । ସେ ମଧ୍ୟରୁ ଅର୍ଦ୍ଧାଧିକ ଜମି ବ୍ୟବହାର ହୋଇନପାରି ଅଯଥାରେ ଶିଳ୍ପସଂସ୍ଥାଙ୍କ ପାଖରେ ପଡିରହିଛି । ନିଜ ଦ୍ୱାରା ହୋଇଥିବା ଏଭଳି ଦୋଷ ତୃଟିକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ “ହାତୀ ମାରି କୁଲା ଘୋଡାଇବା” ନୀତିକୁ ଆପାଣାଇବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ଏହି ବିଷୟରେ ମୁଖ୍ୟମନ୍ତ୍ରୀ ନିଜେ ନିଜର ଅଗଣାକୁ ଦେଖନ୍ତୁ ବୋଲି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଏମସିଏଲ ଅଧିନରେ ବ୍ୟବହୃତ ହୋଇନପାରି ପଡି ରହିଥିବା ଜମିକୁ ପୁନଃ ନିର୍ଦ୍ଧାରଣ କରି ଚାଷୀକୁଳ ଫେରାଇଦେବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଚଳିତ ମାସ ୪ ତାରିଖ ଦିନ କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୁଷ୍ ଗୋଏଲଙ୍କୁ ଏକ ଚିଠି ଲେଖିଥିଲେ । ମୁଖ୍ୟମନ୍ତ୍ରୀ ଶିଳ୍ପାୟନ ନାଁରେ ମିଛ କହି ସରଳ ଓ ନିରୀହ ଚାଷୀକୂଳଠୁ ହାତେଇଥିବା ହଜାର ହଜାର ଏକର ଚାଷଜମିକୁ ପୁନଃ ନିର୍ଦ୍ଧାରଣ କରି କାହିଁକି ଚାଷୀକୂଳକୁ ଫେରାଇ ଦେଉ ନାହାନ୍ତି ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । ଜମି ଅଧିଗ୍ରହଣ ଆଇନ-୨୦୧୩କୁ ଅପବ୍ୟବହାର କରି ରାଜ୍ୟ ସରକାର ୩୦ ହଜାର ୯ଶହ ଏକର ଚାଷ ଜମିକୁ ୫୪ଟି ବଡ ବଡ ଶିଳ୍ପାନୁଷ୍ଠାନକୁ ପ୍ରଦାନ କରିଥିଲେ । ସେଥିମଧ୍ୟରୁ ୧୪ ହଜାର ୨ଶହ ୯୬ ଏକର ଚାଷ ଜମି “ପବ୍ଲିକ ପ୍ରପୋଜ୍ କ୍ଲଜ୍” ମାଧ୍ୟମରେ ଅଧିକୃତ କରିଥିଲେ ।

ସେହିପରି ୭ ହଜାର୨୫ ଏକର ଚାଷ ଜମିକୁ “ଏମରଜେନ୍ସି ପ୍ରୋଭିଜନ” ଆଳ କରି ହାତେଇବା ସହ ସାଧାରଣ ଚାଷୀକୂଳକୁ ଠକି ଥିଲେ । ଏମସିଏଲ ଷ୍ଟିଲ୍ ,ମୋନେଟ୍ ପାୱାର ଏବଂ ମୋନେଟ୍ ଏର୍ନେଜି ଭଳି ଘରୋଇ ସଂସ୍ଥାମାନଙ୍କୁ ଅହେତୁକ ଅନୁକଂପା ପ୍ରଦର୍ଶନ କରି ଆବଶ୍ୟକଠାରୁ ଅଧିକ ୧ହଜାର ୩ଶହ ୨୪ ଏକର ପ୍ରଦାନ କରିଥିଲେ । ଏ ସମସ୍ତ ଜମି ୬ ମାସ ମଧ୍ୟରେ ବ୍ୟବହାର କରିବାର ଜରୁରୀ ହୋଇଥିଲେ ସୁଦ୍ଧା ୬ ବର୍ଷ ପରେ ମଧ୍ୟ ଅଦ୍ୟାବିଧି ୧୬୮୨୮ ଏକର ଜମି ବ୍ୟବହାର ହୋଇନପାରିବା କାରଣରୁ ଅଯଥାରେ ପଡି ରହିଛି । ଏ ସମସ୍ତ ତଥ୍ୟ ତକ୍ରାଳୀନ ଏଜି ଏବଂ ବର୍ତମାନ ଶାସକ ବିଜେଡିର ନେତା ସେତେବେଳେ ନିଜ ରିପୋର୍ଟରେ ପ୍ରକାଶ କରିଥିଲେ । ନିଜ ଦୋଷ ପଦାରେ ପଡି ଯାଇଥିବା କାରଣରୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ନିଜ ଦୋଷ ଘୋଡାଇବାକୁ ଅପପ୍ରୟାସ କରିଛନ୍ତି ।

ରାଜ୍ୟସରକାର କେତେ ଜମି ଚାଷୀଙ୍କଠୁ ଛଡାଇ ଆଣି ଶିଳ୍ପ ହାତରେ ଦେଇଛନ୍ତି, କେତେ ଜମି ବ୍ୟବହାର ହୋଇନପାରି ଅଯଥାରେ ଶିଳ୍ପ ସଂସ୍ଥାମାନଙ୍କ ପାଖରେ ପଡି ରହିଛି, ଅବ୍ୟବହୃତ ଜମିକୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ କ’ଣ କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ? ଏ ସମସ୍ତ ବିଷୟରେ ସ୍ପଷ୍ଟ ମତ ରଖି ଏକ ଶ୍ୱେତ ପତ୍ର ପ୍ରକାଶ କରିବାକୁ ଡ.ଲେଖାଶ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ