Connect with us

ଆଞ୍ଚଳିକ

ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ ଚିତ୍ର

ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ପୁରୀ,୯ା୧୦ : ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୧ତମ ଜୟନ୍ତୀ ଅବସରରେ ମଙ୍ଗଳବାର ପୁରୀ ଜିଲ୍ଲା ସତ୍ୟବାଦୀର ବକୁଳବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ପଞ୍ଚସଖାଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ମୁଖ୍ୟମନ୍ତ୍ରୀ ବକୁଳବନରେ ୩୦ ଜିଲ୍ଲାରୁ ଆସିଥିବା ବକୁଳ ବୃକ୍ଷ ରୋପଣ କରିଛନ୍ତି । ୧୯୦୯ରେ ପଞ୍ଚସଖଶ ସତ୍ୟବାଦୀରେ ବକୁଳ ବନ ବିଦ୍ୟାଳୟ ଗଢ଼ିଥିଲେ । ୧୦୯ ବର୍ଷ ପରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ୱପ୍ନ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରୟାସ କରିଛନ୍ତି ।

ଏହି ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷାର ପ୍ରସାର, ପ୍ରଚାର ସହ ଉଚ୍ଚତର ଗବେଷଣା ପାଇଁ କାର୍ଯ୍ୟ କରିବ । ପଞ୍ଚସଖାଙ୍କ କର୍ମଭୂମୀ ବନବିଦ୍ୟାଳୟ ପୁଣି ଚଳଚଞ୍ଚଳ ହୋଇ ଉଠିବ । ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତିର ଉଚ୍ଚତର ଗବେଷଣା କ୍ଷେତ୍ରରେ ଏହା କାମ କରିବ । ପ୍ରକୃତି କୋଳରେ ଶିକ୍ଷାଦାନ ଓ ଅଧ୍ୟୟନ ଭାରତର ଅନ୍ୟତମ ପ୍ରାଚୀନ ଓ ସମୃଦ୍ଧ ପରମ୍ପରା ରୂପେ ବିଶ୍ୱାଦୃତ ହୋଇ ଆସିଛି । ବୈଦିକ ଯୁଗର ମୁନିଋଷିଙ୍କ ଏହି ପରମ୍ପରା ଆଧାରରେ ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋର ଶାନ୍ତି ନିକେତନ ପ୍ରତିଷ୍ଠା କରିଥିଲେ । ଶାନ୍ତିନିକେତନର ଅନୁସରଣରେ ଓଡ଼ିଶାର ପଞ୍ଚସଖଶ ବନ ବିଦ୍ୟାଳୟ ପ୍ରତିଷ୍ଠା ମାଧ୍ୟମରେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ସାକାର ହେବାକୁ ଯାଉଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରି କହିଛନ୍ତି ଯେ, ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କର୍ମଭୂମି, ସତ୍ୟବାଦୀ ଓଡ଼ିଆ ଜାତି ପାଇଁ ପ୍ରେରଣାର ଉତ୍ସ । ଏ ଭୂମିକୁ ମୋର ପ୍ରଣାମ । ସାକ୍ଷୀଗୋପାଳଙ୍କ ପବିତ୍ର ଭୂମି ସତ୍ୟବାଦୀକୁ ଆସି ମୁଁ ବହୁତ ଖୁସି । ଏହି ଅବସରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ପଣ୍ଡିତ ଗୋପବନ୍ଧୁ ଥିଲେ ତ୍ୟାଗ, ସଂଗ୍ରାମ ଓ ସେବାର ପ୍ରତୀକ । ସେ ଥିଲେ ମାନବ ସମାଜର ଗର୍ବ ଓ ଗୌରବ । ତାଙ୍କ ଜାତିପ୍ରୀତିର ତୁଳନା ନାହିଁ । ଓଡ଼ିଶାର ଇତିହାସରେ ଆଜି ଏଠାରେ ଆମେ ସମସ୍ତେ ଏକ ମହାନ କାର୍ଯ୍ୟ ପାଇଁ ଏକାଠି ହୋଇଛୁ । ଓଡ଼ିଶା ଦେଶର ପ୍ରଥମ ଭାଷାବିତ ରାଜ୍ୟ । ଉକ୍ରଳମଣିଙ୍କ ଜୟନ୍ତୀ ଅବସରରେ ତାଙ୍କ କର୍ମଭୂମିରେ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଭିତ୍ତି ରଖିବା ମୋ ପାଇଁ ଗୌରବର କଥା ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧି ପାଇଁ କାମ କରିଥିବା ବରପୁତ୍ରମାନଙ୍କ ପ୍ରତି ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଗୋପବନ୍ଧୁଙ୍କ ବନ ବିଦ୍ୟାଳୟ ଥିଲା ଓଡ଼ିଆ ନବଜାଗରଣ ପୀଠ । ଓଡ଼ିଆ ଜାତୀୟ ଚେତନତାର ବିକାଶରେ ପଞ୍ଚସଖା ଏକ ନୂଆ ଜାଗରଣ ଆଣିଥିଲେ ।

ମୋର ବିଶ୍ୱାସ, ଓଡ଼ିଆ ବିଶ୍ୱବିଦ୍ୟାଳୟ ଓଡ଼ିଆ ନବଜାଗରଣକୁ ଆହୁରି ଆଗେଇ ନେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରସାର ଓ ବିକାଶରେ ଏକ ନୂଆ ଯୁଗ ଆରମ୍ଭ କରିବ । ଆପଣମାନଙ୍କ ଆଶୀର୍ବାଦ ଓ ସହଯୋଗ ରହିଲେ ପ୍ରଗତିର ନନ୍ଦିଘୋଷ ଆହୁରି ଆଗକୁ ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ