Connect with us

ଦେଶ

ଏଣିକି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀ ବାଧ୍ୟତାମୂଳକ

ସାଙ୍କେତିକ

ଏଣିକି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀ ବାଧ୍ୟତାମୂଳକ
ନୂଆଦିଲ୍ଲୀ,୧୦ା୧ : ଏଣିକି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ହିନ୍ଦୀକୁ ବାଧ୍ୟତାମୂଳକ ବିଷୟ ଭାବେ ପଢ଼ିବେ । କେ କସ୍ତୁରିରଙ୍ଗନ୍ କମିଟି ଏହି ପ୍ରସ୍ତାବ ଦେଇଛି । ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ ତେବେ ସମଗ୍ର ଦେଶରେ ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ହିନ୍ଦୀକୁ ତୃତୀୟ ଭାଷା ରୂପେ ପଢ଼ିବାକୁ ବାଧ୍ୟ ହେବ । ଏହି ନଅ ଜଣିଆ କମିଟି ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଗତ ମାସରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ହସ୍ତାନ୍ତର କରାଯାଇଛି ।

ସଂସଦର ଶୀତ ଅଧିବେଶନ ସମାପ୍ତ ହେବା ପରେ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି । କମିଟି ଦେଇଥିବା ଅନ୍ୟାନ୍ୟ ପ୍ରସ୍ତାବ ଗୁଡିକ ମଧ୍ୟରେ ସମଗ୍ର ଦେଶରେ ଗଣିତ ଓ ବିଜ୍ଞାନ ପାଇଁ ଗୋଟିଏ ପାଠ୍ୟକ୍ରମ ପ୍ରଚଳନ କରାଯିବ । ଆଦିବାସୀ ଭାଷାକୁ ଦେବନାଗରୀ ଲିପିରେ ପ୍ରକାଶ କରାଯିବ । ଦକ୍ଷତା ଭିତ୍ତିରେ ପାଠ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ । ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାକୁ ସ୍ଥାନୀୟ ଭାଷାରେ ଦିଆଯିବ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ ସ୍ଥାୟୀ ଶିକ୍ଷା କମିଟି ଗଠନ କରାଯିବ । ଶିକ୍ଷା ସମ୍ବନ୍ଧୀୟ ସମସ୍ୟା ସମାଧାନ, ଯୋଜନା ଓ ନିୟନ୍ତ୍ରଣ ପାଇଁ ଶିକ୍ଷାବିତଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ । ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଷୟିକ ଓ ପେସାଦାର ମନୋବୃତ୍ତି ଜାଗ୍ରତ କରାଇବା ପାଇଁ ପାଠ୍ୟକ୍ରମ ପ୍ରଚଳନ କରାଯିବ ।

ସୂଚନାଯୋଗ୍ୟ ଯେ, ଶେଷଥର ପାଇଁ ଜାତୀୟ ଶିକ୍ଷା ନୀତି ୧୯୮୬ରେ ଘୋଷଣା କରାଯାଇଥିଲା । ୧୯୯୨ରେ ଏଥିରେ ସଂଶୋଧନ ଅଣାଯାଇଥିଲା । ଏହାର ଆଧାରରେ ୨୦୦୫ରେ ଜାତୀୟ ପାଠ୍ୟକ୍ରମ ଖସଡା ପ୍ରସ୍ତୁତ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ